ମହାବାତ୍ୟାକୁ ପୂରିଲା ୨୫ ବର୍ଷ…ଏବେବି ସେ କାଳରାତି କଥା ମନେପଡିଲେ ଥରିଉଠେ ଛାତି ..
1 min read
ନନ୍ଦିଘୋଷ ବ୍ୟୁରୋ: ମହାବାତ୍ଯାକୁ ପୂରିଲା ୨୫ ବର୍ଷ। ୧୯୯୯ ଅକ୍ଟୋବର ୨୯ ମହାତାଣ୍ଡବର ଲୋମହର୍ଷକ ସ୍ମୃତି ଏବେ ବି ଥରାଇଦେଉଛି ଛାତି। ସାରା ରାଜ୍ଯର ମେରୁଦଣ୍ଡ ଭାଙ୍ଗିଦେଇଥିବା ଏହି ସୁପରସାଇକ୍ଲୋନରେ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିଲା ଉପକୂଳ ଓଡ଼ିଶା। ପ୍ରଳୟ ସ୍ରୋତରେ ଲୀନ ହୋଇଯାଇଥିଲେ ୧୦ ହଜାରରୁ ଅଧିକ ଲୋକ। ସରକାରୀ ରିପୋର୍ଟରେ ୧୦ ହଜାର କୁହାଯାଉଥିଲେ ବି ଏହି ମୃତ୍ଯୁସଂଖ୍ଯା ଯଥେଷ୍ଟ ଅଧିକ ବୋଲି କୁହାଯାଏ। ଘଣ୍ଟାପ୍ରତି ୨୬୦ରୁ ଅଧିକ କିଲୋମିଟର ବେଗରେ ପବନ ବହିବା ସହ ଭୂପତିତ ହୋଇଥିଲା ଲକ୍ଷ ଲକ୍ଷ ଗଛ। ଏହି ଆକସ୍ମିକ ପ୍ରଳୟ ଲାଗି ପ୍ରସ୍ତୁତ ନଥିଲେ ଓଡ଼ିଶାବାସୀ। ଓଡ଼ିଶା ଇତିହାସରେ ଏହି ଲୋମହର୍ଷକ ବାତ୍ଯା ଆଜି ବି ଆଣେ ଛନକା।
ସେଦିନ ଥିଲା ୧୯୯୯ ମସିହା, ଅକ୍ଟୋବର ୨୫ ତାରିଖ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ। ଧୀରେ ଧୀରେ ତାହା ସମୁଦ୍ରରେ ଅଧିକ ଘନୀଭୂତ ହେବାରେ ଲାଗିଲା। ୨୮ ତାରିଖ ରାତିରୁ ପ୍ରଭାବ ପକାଇବା ଆରମ୍ଭ କରିଥିଲା । ବୋହିବାକୁ ଲାଗିଥିଲା ସୁଲୁସୁଲିଆ ପବନ। ଆଉ ପରଦିନ ଅର୍ଥାତ୍ ୨୯ ତାରିଖ ଦିନ ଉପକୂଳ ଓଡ଼ିଶାରେ ପ୍ରଳୟ ରଚିଥିଲା ଏହି ସାମୁଦ୍ରିକ ଝଡ । ଓଡିଶା ଉପକୂଳର ଜଗତସିଂହପୁରରେ ଲ୍ୟାଣ୍ଡଫଲ୍ କରିଥିଲା । ୨୯ ସକାଳ ୧୦.୩୦ ରେ ଜଗତସିଂହପୁରର ଏରସମା-ବାଲିକୁଦାରେ ହିଟ୍ କରିଥିଲା ବାତ୍ୟା।
ବାତ୍ୟା ସାଙ୍ଗକୁ ୩୫୦କିମିରେ ବୋହିଥିଲା ପବନ ଯାହା ବିପର୍ଯୟର ମୂଳ କାରଣ ପାଲଟିଥିଲା । ବାତ୍ୟାରେ ୨କିମି ପର୍ଯ୍ୟନ୍ତ ମାଡିଆସିଥିଲା ସମୁଦ୍ର ଜୁଆର । ଜୁଆର ପାଣିରେ ଭାସିଯାଇଥିଲା ହଜାର ହଜାର ନିରୀହଙ୍କ ଘର । ୩୬ଘଣ୍ଟାର ବାତ୍ୟାର ତାଣ୍ଡବରେ ଧ୍ବଂସ ହେଇଯାଇଥିଲା ଉପକୂଳ ଓଡିଶା । ଛାରଖାର ହୋଇଯାଇଥିଲା ଗାଁ ଗଣ୍ଡା ଓ ଘରଦ୍ୱାର।ବାତ୍ୟା ଉପକୂଳ ଓଡିଶା ସମେତ ରାଜ୍ୟର ମୋଟ ୧୨୮ଟି ବ୍ଲକରେ ବ୍ୟାପକ କ୍ଷତି ଘଟାଇଥିଲା । ପାଖାପାଖି ୨ କୋଟି ଲୋକ ପ୍ରଭାବିତ ହୋଇଥିଲେ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ ଜିଲ୍ଲାରେ ଦେଢ ଲକ୍ଷରୁ ଅଧିକ ବାସହରା ହୋଇ ପଡ଼ିଥିଲେ। ଆଉ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଆକଳନ ଅନୁଯାୟୀ ୪ଲକ୍ଷରୁ ଉର୍ଦ୍ଧ୍ବ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିଲା ।୯ଲକ୍ଷରୁ ଉର୍ଦ୍ଧ୍ବ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଥିଲା । ଚାଷୀକୂଳଙ୍କ ମେରୁଦଣ୍ଡ ଦୋହଲିଯାଇଥିଲା ।
ଚାରିଆଡ଼େ ଦେଖିବାକୁ ମିଳିଥିଲା ବାତ୍ୟାର ପଦଚିହ୍ନ। କିଏ ସ୍ୱାମୀକୁ, କିଏ ସ୍ତ୍ରୀ ତ ଆଉ କିଏ ବାପା ଓ ମାଆକୁ ହରାଇଥିଲା। କଇଁ କଇଁ କାନ୍ଦୁଥିଲା ବାତ୍ୟା ପ୍ରଭାବିତ, ଆଖି ଆଗରେ ପ୍ରିୟଜନଙ୍କ ପ୍ରାଣ ନେଇଯାଇଥିଲା ମହାବାତ୍ୟା। ମାଆ ଆଗରେ ଚାଲିଗଲା ପୁଅ, ବାପା ଆଗରେ ଚାଲିଗଲା ଝିଅ। ସ୍ଥିତି ଏମିତି ହୋଇଥିଲା ଯେ, ଗଛ ଉପରେ ତ ପାଣି ଭିତରେ ଯୁଆଡ଼େ ଦେଖିବେ କେବଳ ଶବ ହିଁ ଶବ। ଆଉ ଆଜି ମହାବାତ୍ୟାକୁ ପୂରିଛି ୨୫ବର୍ଷ।
ମହାବାତ୍ଯା ପରଠାରୁ ସଜାଗ ହୋଇଥିଲା ଓଡ଼ିଶା। ଗତ ୨୫ ବର୍ଷ ମଧ୍ଯରେ ରାଜ୍ଯରେ ଦେଖାଯାଇଛି ଅନେକ ବିପର୍ଯ୍ୟୟ। ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତଲି, ୨୦୧୯ରେ ଫନି ଓ ବୁଲବୁଲ୍, ୨୦୨୦ରେ ଅମ୍ଫନ, ୨୦୨୧ରେ ୟାସ, ଗୁଲାବ ଓ ଜବାଦ ଏବଂ ଚଳିତ ବର୍ଷ ଦାନା ରାଜ୍ଯ ଲାଗି ଆଣିଛି ଅନେକ ଚ୍ୟାଲେଞ୍ଜ। ଆଜି ବାତ୍ୟା ମୁକାବିଲା କ୍ଷେତ୍ରରେ ଓଡିଶା ସାରା ଦେଶରେ ଏବେ ରୋଲମଡେଲ ରାଜ୍ୟ ହୋଇପାରିଛି । ଆଜି ଓଡିଶା ଜିରୋ-କାଜୁଆଲିଟି ମୋଡରେ ବିପର୍ଯ୍ୟୟର ମୁକାବିଲା କରିପାରୁଛି । ପ୍ରତିବର୍ଷ ଓଡିଶାକୁ ବାତ୍ୟା ଆସୁଥିଲେ ମଧ୍ୟ ମଜବୁତ କବାଟ ହେଇ ଓଡିଶା ତାର ସାମ୍ନା କରୁଛି । ଓଡିଶା ସରକାରଙ୍କର ଉନ୍ନତ କୌଶଳ ଓ ଚିନ୍ତାଧାର ପାଇଁ ଆଜି ଓଡିଶା ଏହାର ମୁକାବିଲା କରିପାରୁଛି । ଏହା ସତ୍ତ୍ବେ ମଧ୍ୟ ଆଜିବି ବାତ୍ୟା ଆସିବାର ସୂଚନା ମିଳିଲେ ଶୀତେଇ ଉଠେ ଦେହ ଏବଂ ପାଟିରୁ ବାହାରିଆସେ ହେ ପ୍ରଭୁ ଏମିତି ବାତ୍ୟା କେବେ ନଆସୁ ।