ଟ୍ୱିଟ୍ କରି ଗଣତନ୍ତ୍ରରେ ବାକ୍ ସ୍ୱାଧୀନତାର ପ୍ରସଙ୍ଗ ଉଠାଇଲେ ଗ୍ରେଟା ଥନବର୍ଗ

1 min read

ନୂଆଦିଲ୍ଲୀ: ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରୁଥିବା ସ୍ୱିଡେନର ପରିବେଶବିତ୍ ଗ୍ରେଟା ଥନବର୍ଗ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ନିକଟରେ ସେ ଭାରତରେ କୃଷକ ବିରୋଧକୁ ସମର୍ଥନ କରି ଏକ ଟ୍ୱିଟ୍ କରିଥିଲେ, ଯାହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ଏବେ ପୁଣିଥରେ ଗ୍ରେଟା ଥନବର୍ଗ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ବିଜ୍ଞାନ ଏବଂ ଗଣତନ୍ତ୍ର ପସ୍ପର ସହ ଜଡିତ ଥିବା କହିଛନ୍ତି। ତାଙ୍କର ଏହି ଟ୍ୱିଟ୍ ବହୁତ ଭାଇରାଲ ହେଉଛି ।

ଗ୍ରେଟା ଥୁନବର୍ଗ ଟ୍ୱିଟ୍ କରି କହିଛନ୍ତି: “ବିଜ୍ଞାନ ଏବଂ ଗଣତନ୍ତ୍ର ପରସ୍ପର ସହ ଦୃଢ଼ ଭାବେ ଜଡିତ। କାରଣ ଏହି ଦୁଇଟି ସ୍ୱାଧୀନତା, ବାକ୍ ସ୍ୱାଧୀନତା,  ତଥ୍ୟ ଏବଂ ସ୍ୱଚ୍ଛତା ଉପରେ ନିର୍ମିତ। ଯଦି ଆପଣ ଗଣତନ୍ତ୍ରକୁ ସମ୍ମାନ କରନ୍ତି ନାହିଁ, ତେବେ ହୋଇପାରେ ଆପଣ ବିଜ୍ଞାନର ବି ସମ୍ମାନ କରୁନଥିବେ। ଏବଂ ଯଦି ଆପଣ ବିଜ୍ଞାନକୁ ସମ୍ମାନ କରନ୍ତି ନାହିଁ, ତେବେ ବୋଧ ହୁଏ ଆପଣ ଗଣତନ୍ତ୍ରକୁ ସମ୍ମାନ କରୁନଥିବେ।‘ ଏହି ଟ୍ୱିଟ ଜରିଆରେ ଗ୍ରେଟା ଥନବର୍ଗ ଗଣତନ୍ତ୍ରରେ ବାକ୍ ସ୍ୱାଧୀନତାର ପ୍ରସଙ୍ଗ ଉଠାଇଛନ୍ତି । ଗ୍ରେଟାଙ୍କ ଏହି ଟ୍ୱିଟକୁ ପ୍ରକାଶ ରାଜ ମଧ୍ୟ ପସନ୍ଦ କରିଛନ୍ତି।

ସୂଚନାଯୋଗ୍ୟ, ଗ୍ରେଟା ଥନବର୍ଗଙ୍କ କୃଷକ ଆନ୍ଦୋଳନ ଉପରେ ଟ୍ୱିଟକୁ ନେଇ ଦିଲ୍ଲୀ ପୋଲିସ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲା । ​​ଯେଉଁଥିରେ ତାଙ୍କ ବିରୁଦ୍ଧରେ ଅପରାଧିକ ଷଡଯନ୍ତ୍ର ତଥା ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବିସ୍ତାର କରିଥିବା ଅଭିଯୋଗ ହୋଇଥିଲା। ତେବେ ମାମଲା ଦାୟର ହେବାର କିଛି ସମୟ ପରେ ଗ୍ରେଟା ପୁଣିଥରେ ଟ୍ୱିଟ କରି ଲେଖିଥିଲେ, ‘ମୁଁ ତଥାପି ଚାଷୀଙ୍କ ସମର୍ଥନରେ ଛିଡା ହୋଇଛି ଏବଂ ଘୃଣା, ଭୟ କିମ୍ବା ମାନବିକ ଅଧିକାରର ଉଲ୍ଲଂଘନ ଏହାକୁ ପରିବର୍ତ୍ତନ କରିପାରିବ ନାହିଁ।’

ସୂଚନାଯୋଗ୍ୟ, ଗ୍ରେଟା ଥନବର୍ଗ ତାଙ୍କର ପ୍ରଥମ ଟ୍ୱିଟରେ ଲେଖିଛନ୍ତି ଯେ ଆମେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସହ ଏକତାର ସହ ଛିଡ଼ା ହୋଇଛୁ। ତାଙ୍କ ଟ୍ୱିଟ୍ ପରେ ବହୁତ ହଙ୍ଗମା ହୋଇଥିଲା। କେବଳ ଏତିକି ନୁହେଁ ଆମେରିକାର ପପ୍ ଗାୟକ ରିହାନା ଏବଂ ଅଭିନେତ୍ରୀ ମିଆ ଖଲିଫା ମଧ୍ୟ କୃଷକ ଆନ୍ଦୋଳନକୁ ନେଇ ଟ୍ୱିଟ୍ କରିଥିଲେ। ଯାହାକୁ ଭାରତୀୟ ସେଲିବ୍ରିଟିମାନେ ବିରୋଧ କରିଛନ୍ତି।

Leave a Reply