ସତ୍ଯେନ୍ଦ୍ର ଜୈନଙ୍କ ବିରୋଧରେ ସିବିଆଇ ତଦନ୍ତକୁ ଗ୍ରୀନ ସିଗନାଲ

1 min read

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଆପ୍ ନେତା ସତ୍ଯେନ୍ଦ୍ର ଜୈନଙ୍କ ବିରୋଧରେ ସିବିଆଇ ତଦନ୍ତକୁ ଗ୍ରୀନ ସିଗନାଲ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଦୁର୍ନୀତି ନିରାକରଣ ଆଇନ ଆଧାରରେ ଗିରଫ ହୋଇଥିଲେ ସତ୍ଯେନ୍ଦ୍ର । ଜେଲ ବିଭାଗ ମନ୍ତ୍ରୀ ଥିବାବେଳେ ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ଜେଲରେ ସୁରକ୍ଷା ଦେବା ଲାଗି ସତ୍ଯେନ୍ଦ୍ର ଜୈନ ୧୦ କୋଟି ଟଙ୍କା ଲାଞ୍ଚ ନେଇଥିଲେ ବୋଲି ହୋଇଥିବା ଅଭିଯୋଗ ଅନୁସାରେ ତାଙ୍କୁ ଗିରଫ କରାଯାଇଥିଲା । ସେପଟେ ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ସମାଲୋଚନା କରିଛନ୍ତି ଆପ ମୁଖପାତ୍ର ପିୟଙ୍କା କାକ୍କର । ସେ କହିଛନ୍ତି- ମହଲା କ୍ଲିନିକ କନସେପ୍ଟ କାର୍ଯ୍ୟକାରୀ କରି ବିଶ୍ବରେ ଖ୍ଯାତି ଅର୍ଜନ କରିଥିବା ସତ୍ଯେନ୍ଦ୍ରଙ୍କୁ ଟାର୍ଗେଟ କରାଯାଇଛି । ଅରବିନ୍ଦ କେଜରିଓ୍ବାଲ ନେତୃତ୍ବାଧୀନ ସରକାରରେ ସତ୍ଯେନ୍ଦ୍ର ସ୍ବାସ୍ଥ୍ୟ, ଜେଲ ସମେତ ଅନ୍ଯାନ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କୁ ମେ ୨୦୨୨ରେ ଗିରପ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେଲରେ ଥିବା ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ଲାଗି ତତକାଳୀନ ତିହାଡ ଜେଲ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ ମଧ୍ଯ ଟଙ୍କା ନେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ଗତ ମାର୍ଚ୍ଚ ୨୨ରେ ସତ୍ଯେନ୍ଦ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ଲାଗି ଗୃହ ମନ୍ତ୍ରାଳୟ ଅନୁମତି ଦେବା ପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା ତାହାକୁ ମୁଖ୍ୟ ଶାସନସଚିବଙ୍କୁ ପଠାଇଥିଲେ । ୨୦୧୮ରୁ ୨୦୨୧ ମଧ୍ୟରେ ୧୦ କୋଟି ଟଙ୍କା ଦିଆଯାଇଥିବା ନେଇ ସୁକେଶ ଚନ୍ଦ୍ରଶେଖର ଅଭିଯୋଗ କରିବା ପରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା । ସେହିପରି ୨୦୧୯ରୁ ୨୦୨୨ ମଧ୍ଯରେ କେତେକ ଜେଲ ଅଧିକାରୀ ତାଙ୍କଠାରୁ ୧୨ କୋଟି ୫୦ଲକ୍ଷ ଟଙ୍କା ନେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ ।