spot_img

Latest Posts

ଓଡିଶା ୱମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ

ଭୁବନେଶ୍ୱର : ପରିବେଶ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ ଅନ୍ତର୍ଗତ ପ୍ରାୟ ୧୮୦ ଜଣ ମହିଳା ସାମ୍ବାଦିକାଙ୍କୁ ନେଇ ଗଠିତ ଓଡିଶା ୱମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍‌) ଏବଂ କମିଶନରେଟ୍ ପୁଲିସ୍ ପକ୍ଷରୁ ମିଳିତ ଭାବେ ଚନ୍ଦକା ପୋଲିସ୍ ଷ୍ଟେସନରେ ସିଡ୍ ବଲ୍ ପ୍ରସ୍ତୁତି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଲିସ୍ ବିଭାଗ ଏବଂ ଓଡବ୍ଲ୍ୟୁଏମ୍‌ର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ପୋଲିସ୍ କମିଶନର, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡେପୁଟି କମିଶନର, ପ୍ରତିକ୍ ସିଂହ ଏହି ଅଭିଯାନର ନେତୃତ୍ୱ ନେଇଥିଲେ ଏବଂ ସବୁଜିମାର ଅବକ୍ଷୟ ଓ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଇବା ଭଳି ସମସ୍ୟାଗୁଡିକର ମୁକାବିଲା କ୍ଷେତ୍ରରେ ସାମଗ୍ରିକ କାର୍ଯ୍ୟାନୁଷ୍ଠାନର ମହତ୍ୱକୁ ଗୁରୁତ୍ୱ ଦେଇଥିଲେ ।

ଏକ ସୁସ୍ଥ ଜୀବନ ଉପଯୋଗୀ ପରିବେଶ ସୃଷ୍ଟି କରିବା କ୍ଷେତ୍ରରେ ଛୋଟ ଛୋଟ ପଦକ୍ଷେପଗୁଡିକର ମହତ୍ୱକୁ ଚିହ୍ନଟ କରି ସିପି, ଡିସିପି ଓ ଅନ୍ୟାନ୍ୟ ପୋଲିସ୍ ଅଧିକାରୀଙ୍କ ସମେତ ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମ ସମୟରେ ସିଡ୍ ବଲ୍ ବା ବିହନର ବଲ୍ ପ୍ରସ୍ତୁତ କରିଥିଲେ । ଏହାସହ ସେମାନେ ଚନ୍ଦକା ପୋଲିସ୍ ଷ୍ଟେସନ ପରିସର ମଧ୍ୟରେ ବିଭିନ୍ନ ସ୍ଥାନରେ ଚାରା ରୋପଣ କରିଥିଲେ ।

ଏହି ଗ୍ରୀନ୍ ଆମ୍ବାସାଡର୍‌ମାନେ ଆମ୍ବ, ପଣସ, ପିଜୁଳି, ଲିଚୁ ଓ ବକୁଳ ଗଛର ଚାରା ସମେତ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ । ସେମାନେ ସଜନା, ରାଧାଚୁଡା, ଆତ ଏବଂ ବିଭିନ୍ନ ପ୍ରକାରର ଫୁଲ ଗଛର ମଞ୍ଜିରୁ ସିଡ୍ ବଲ୍ ପ୍ରସ୍ତୁତ କରିଥିଲେ ।

ଡିସିପି ପ୍ରତୀକ ସିଂହ ଏହି ଅଭିଯାନକୁ ପ୍ରଶଂସା କରିଥିଲେ ଏବଂ ପରିବେଶ ଉପରେ ଏହାର ସକାରାତ୍ମକ ପ୍ରଭାବକୁ ଆଲୋକପାତ କରିଥିଲେ । ସେ ଏହି ସିଡ୍ ବଲଗୁଡିକୁ ଶୁଖାଇବା ଏବଂ ସବୁଜ କ୍ଷେତ୍ରରେ ବିକଶିତ ହେବା ପାଇଁ ସମ୍ଭାବନା ଥିବା ଅଂଚଳଗୁଡିକରେ ସେଗୁଡିକୁ ରଣନୈତିକ ଭାବେ ବିକ୍ଷେପ ଏବଂ ସ୍ଥାନୀତ କରିବାରେ ସହଯୋଗ କରିବା ପାଇଁ ଆଶ୍ୱାସନା ଦେଇଥିଲେ ।

ଓଡିଶା ୱମେନ୍ ଇନ୍ ମିଡିଆ ସଚେତନତା କାର୍ଯ୍ୟକ୍ରମ, ବୃକ୍ଷରୋପଣ ଏବଂ ଉଦୀୟମାନ ମହିଳା ସାମ୍ବାଦିକାଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମେତ ବିଭିନ୍ନ ସମୁଦାୟ-ଭିତିକ ଅଭିଯାନଗୁଡିକରେ ସକ୍ରିୟ ଭାବେ ଜଡିତ ରହିଛି । କମିଶନରେଟ୍ ପୋଲିସ୍ ସହ ଏହି ସହଭାଗିତା କେବଳ ପରିବେଶ ସ୍ଥାୟିତ୍ୱ ପ୍ରତି ଏକ ଯୁଗ୍ମ ପ୍ରତିବଦ୍ଧତାକୁ ସୂଚିତ କରୁନାହିଁ ବରଂ ସମୁଦାୟ ଉପରେ ଏକ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବାରେ ସାମଗ୍ରିକ ପ୍ରୟାସର ଶକ୍ତିକୁ ପ୍ରଦର୍ଶିତ କରୁଛି ।

 

Latest Posts

Don't Miss