ରାଜ୍ୟର ଶିଳ୍ପାୟନକୁ ଏଣିକି ଗତିଶୀଳ କରିବ ଅକ୍ଷୟ ଶକ୍ତି

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ଶିଳ୍ପାୟନକୁ ଏଣିକି ଗତିଶୀଳ କରିବ ଅକ୍ଷୟ ଶକ୍ତି । ପରିବେଶ ଅନୁକୂଳ ଶକ୍ତି ଉତ୍ସ ବ୍ୟବହାର କରି ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା । ଗ୍ରୀନ୍ ଆମୋନିଆ ଓ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବହାର କରି ହେବ ଇସ୍ପାତ ଉତ୍ପାଦନ । ଆସନ୍ତା ୫ ବର୍ଷରେ ଓଡ଼ିଶାର ଶିଳ୍ପ ଉତ୍ପାଦନ ୪୦ ବିଲିୟନ୍ ଡଲାରରେ ପହଞ୍ଚିବାକୁ ଲକ୍ଷ୍ୟ ରହିଛି । ଆଜି ଭୁବନେଶ୍ବରରେ ଅନୁଷ୍ଠିତ ମାନ୍ୟୁଫକ୍ଚରିଂ କନକ୍ଲେଭରେ ଓଡ଼ିଶା ସରକାରଙ୍କ ବଳିଷ୍ଠ ପଦକ୍ଷେପକୁ ବହୁରାଷ୍ଟ୍ରୀୟ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘ ପ୍ରଶଂସା କରିଛନ୍ତି ।

ଦିନଥିଲା ଖଣି ଓ ଧାତବ ଶିଳ୍ପରେ ପୁଞ୍ଜି ଆକୃଷ୍ଟ କରୁଥିଲା । ଏବେ ଶିଳ୍ପାୟନର ନୂଆ ପରିଭାଷା ଲେଖିଲାଣି ଓଡ଼ିଶା । ପ୍ରତିରକ୍ଷା ଉପକରଣଠୁ ଆରମ୍ଭ କରି ପୋଷାକ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଓଡ଼ିଶା ହବ୍ ହେବାକୁ ଯାଉଛି । ଭାରି ଶିଳ୍ପ ହେଉକି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ । ଇସ୍ପାତ ହେଉ କି ଔଷଧ ଉତ୍ପାଦନ । ଉତ୍ପାଦନରେ ସବୁଜ ଶକ୍ତିକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ । ଗ୍ରୀନ୍ ହାଇଡ୍ରୋଜେନ୍ ଦ୍ବାରା ଇସ୍ପାତ ଉତ୍ପାଦନ, ଆମୋନିଆ ଶିଳ୍ପ, ଶକ୍ତି ଉତ୍ପାଦନର ବର୍ଜ୍ଯର ହେବ ସୁବିନିଯୋଗ । ଅକ୍ଷୟ ଶକ୍ତିର ବଡ଼ ପ୍ରୟୋଗଶାଳା ହୋଇଛି ଓଡ଼ିଶା । ପରିବେଶ ଅନୁକୂଳ ନିରନ୍ତର ବିକାଶ ପଥରେ ଆଗେଇ ନେବା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ । ଭୁବନେଶ୍ବରରେ ଆସୋଚାମ ପକ୍ଷରୁ ଆୟୋଜିତ ଏକଦିବସୀୟ ମାନ୍ୟୁଫାକ୍ଚରିଂ କନ୍କ୍ଲେଭ-୨୦୨୪ରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ବହୁରାଷ୍ଟ୍ରୀୟ କମ୍ପାନୀ ଓ ବିଭିନ୍ନ ଶିଳ୍ପ ସଂଘ । ସମଗ୍ର ବିଶ୍ବକୁ ଓଡ଼ିଶା କେତେକ ମହାନ୍ ଷ୍ଟାର୍ଟ୍ଅପ୍ ଲିଡର ଦେଇଥିବା କନକ୍ଲେଭ୍ରେ ଆଲୋଚନା ହୋଇଛି ।

ରାଜ୍ୟର ଅଭିବୃଦ୍ଧିରେ ମାନ୍ୟୁଫାକଚରିଂ ଶିଳ୍ପର ୧୪.୪୨ ପ୍ରତିଶତ ଯୋଗଦାନ ରହିଛି । ଏହି ଶିଳ୍ପରେ ୨୦୧୫ରୁ ୨୦୨୨ ଭିତରେ ୪.୭୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ରାଜ୍ୟକୁ ଆସିଛି । ୨୦୨୪ରୁ ୨୦୨୮ ଭିତରେ ଓଡ଼ିଶାର ବାର୍ଷିକ କମ୍ପାଉଣ୍ଡ୍ ଅଭିବୃଦ୍ଧି ୮.୨୧ ପ୍ରତିଶତ ହିସାବରେ ରହିବ । ଏବର୍ଷ ଶିଳ୍ପ ଉତ୍ପାଦନ ପ୍ରାୟ ୧୩୬୦ ବିଲିୟନ୍ ଡଲାର ହେବ ବୋଲି ଆଶା କରାଯାଉଛି । ଏସବୁ ସମ୍ଭବ ହୋଇପାରିଛି ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁ । ୨୦୩୦ ସୁଦ୍ଧା ରାଜ୍ୟକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ନିରନ୍ତର ବିକାଶ ମାପକାଠିର ସବୁ ଦିଗକୁ ପୂରା କରୁଛନ୍ତି । କନ୍କ୍ଲେଭରେ ଆସୋଚାମ ପକ୍ଷରୁ ରିସର୍ଜେଣ୍ଟ୍, ରି-ଇମାଜିନିଂ ମାନ୍ୟୁଫାକ୍ଚରିଂ, ସ୍ମାର୍ଟ୍ ଆପ୍ରୋଚେସ୍ ଫର୍ ନେକ୍ସଟ୍ ଫେଜ୍ ନାମକ ରିପୋର୍ଟ ପ୍ରକାଶ ପାଇଥିଲା ।