ଦିଲ୍ଲୀ ଏନସିଆରରେ ବିଷାକ୍ତ ହେଲାଣି ବାୟୁ , ଲାଗୁ ହେଲା ଜିଆରଏପି-୩ କଟକଣା
1 min readନୂଆଦିଲ୍ଲୀ : ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପୁଣି ଥରେ ବିଗିଡିଲାଣି ବାୟୁର ଗୁଣବତ୍ତା । ଦିନକୁ ଦିନ ବିଷାକ୍ତ ହେଉଛି ବାୟୁ । ଏପରି ବାୟୁ ପ୍ରଦୂଷଣ ବୃଦ୍ଧିକୁ ଆଖି ଆଗରେ ରଖି ଦିଲ୍ଲୀ ଏନସିଆରରେ ପୁଣି ଥରେ ଜିଆରଏପି-୩ର କଟକଣା ଲାଗୁ ହୋଇଛି । ଏହା ଯୋଗୁଁ ଏନସିଆରର ସମସ୍ତ ସ୍କୁଲରେ ୫ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ କ୍ଲାସ ହାଇବ୍ରିଡ୍ ମୋଡରେ କରିବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ଡିଜେଲ ଚାଳିତ ଯାନବାହନ ଚଳାଚଳ ଏବଂ ପ୍ରବେଶକୁ ନେଇ କଟକଣା ଲାଗୁ ହେବ ।
କେନ୍ଦ୍ରର ବାୟୁ ଗୁଣବତ୍ତା ପ୍ୟାନେଲ CXUM ପକ୍ଷରୁ ଜାରି କରାଯାଇଥିବା ଅଧିକାରୀଙ୍କ ଆଦେଶରେ କୁହାଯାଇଛି ଯେ, ଶାନ୍ତ ପବନ ସହିତ ପ୍ରତିକୂଳ ପରିବେଶ ମଧ୍ୟରେ ସନ୍ତୁଳନ ନରହିବା କାରଣରୁ ଦିଲ୍ଲୀର AQI ବହୁତ ଖରାପ ସ୍ଥିତିରେ ପହଞ୍ଚିଗଲାଣି । ଏହାକୁ ଦୃଷ୍ଟିରେ ରଖି ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନର ପ୍ୟାନେଲ ପୁନର୍ବାର ଜିଆରଏବି-୩ର ନୂଆ କଟକଣା ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ନୂଆ କଟକଣା ଅନୁଯାୟୀ, ଦିଲ୍ଲୀ, ଗୁରୁଗ୍ରାମ, ଫରଦାବାଦ, ଗାଜିଆବାଦ ଏବଂ ଗୌତମବୁଦ୍ଧ ନଗରର ସ୍କୁଲ ଗୁଡିକରେ ୫ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସମାନଙ୍କୁ ହାଇବ୍ରିଡ୍ ମୋଡରେ ଚଳାଇବାକୁ ନିର୍ଦ୍ଦେଶ ହୋଇଛି । ଏହି ପ୍ରକ୍ରିୟାରେ ସ୍କୁଲରେ ଫିଜିକାଲ୍ କ୍ଲାସ ଚାଲିବା ସହ ପିଲା ଏବଂ ଅଭିଭାବକ ମାନଙ୍କ ପାଖରେ ଅନଲାଇନ ଜରିଆରେ କ୍ଲାସ୍ ଚୟନ କରିବାର ବିକଳ୍ପ ରହିବ ।
ଏହାଛଡା ଗ୍ରୁପ୍-୩ରେ ଦିଲ୍ଲୀ ଭିତରକୁ ବିଏସ୍-୪ ବା ଏହା ଠାରୁ ପୁରୁଣା ଡିଜେଲ୍ ଚାଳିତ ଟ୍ରକ୍ , ଟ୍ରାକ୍ଟର , ଟ୍ରଲି ଆଦି ଯାନବାହାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ସହିତ ପୁରୁଣା ବ୍ୟବସାୟିକ ଯାନକୁ ମଧ୍ୟ ସହର ଭିତରକୁ ପ୍ରବେଶର ଅନୁମତି ନାହିଁ ।