ଦାରିଦ୍ର୍ୟର ଦାରୁଣ ଦୁଃଖ! ମାତ୍ର ୨୦୦ ଟଙ୍କାରେ ନାତିକୁ ଅନ୍ୟ ଲୋକକୁ ବିକିଦେଲା ଆଈ

ବାରିପଦା: ଦାରିଦ୍ର୍ୟର ଦାରୁଣ ଦୁଃଖ। ନାତିକୁ ଅନ୍ୟ ଲୋକ ହାତରେ ଟେକିଦେଲା ଜେଜେ ମା’। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କରଞ୍ଜପଡାରେ। ଆଜକୁ ମାସେ ହେବ ବସଷ୍ଟାଣ୍ଡରେ ଅସହାୟ ଭାବେ ଆଶ୍ରୟ ନେଇଛନ୍ତି ଜଣେ ବୃଦ୍ଧା । ମାଗିଯାଚି ଖାଉଥିବା ବେଳେ ୫ ବର୍ଷ ବୟସର ନାତିର ବୋଝକୁ ସମ୍ଭାଳି ପାରୁନଥିଲେ। ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଖନ୍ତାପଡାର ଜଣେ ବ୍ୟକ୍ତି ତାଙ୍କୁ ୨୦୦ ଟଙ୍କା ଦେଇ ନାତିକୁ ନେଇଯାଇଥିବା କହିଛନ୍ତି । ଏହା ସହ ତାଙ୍କ ଫୋନ ନମ୍ବର ମଧ୍ୟ ଦେଇଯାଇଥିବା କହିଛନ୍ତି । ବୃଦ୍ଧା ଜଣଙ୍କ ହେଲେ ମନ୍ଦ ହେମ୍ବ୍ରମ। ତାଙ୍କର ବାସସ୍ଥାନ ନଥିବା ବେଳେ ସେ ସରାକାରୀ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।