ଆବାସ ପାଇବେ ଯୋଗ୍ୟ ହିତାଧିକାରୀ, ସ୍ବଚ୍ଛତାର ସହ କାମ କରୁଛନ୍ତି ରାଜ୍ୟ ସରକାର

1 min read

ଭୁବନେଶ୍ୱର: ଆବାସରେ ବନ୍ଦ କର ମାଇଲେଜ ପଲିଟିକ୍ସ । ଗରିବ କିପରି ଘର ପାଇବେ କର ସହଯୋଗ । ପ୍ରଥମେ ଆବାସ ଯୋଜନାରେ କେନ୍ଦ୍ରର ବିଜେପି ସରକାର ଅର୍ଥ କାଟ, ପରେ ଲୋଗୋକୁ ନେଇ ଝଗଡ଼ା । ଏହାପରେ ବହୁଦିନ ଧରି ପୋର୍ଟାଲ ବନ୍ଦ କରି ଗରିବଙ୍କୁ ଘର ଦେବାରୁ ବଞ୍ଚିତ କଲା । ରାଜ୍ୟ ସରକାର ଲଢ଼େଇ କରି ଗରିବଙ୍କୁ ଆବାସ ଘର ଯୋଗଇ ଦେବାକୁ ପ୍ରୟାସ ଜାରି ରଖିଥିବା ବେଳେ ଅଯୋଗ୍ୟ ହିତାଧିକାରୀ ପ୍ରସଙ୍ଗ ଉଠାଇ ଅସନ୍ତୋଷର ମଞ୍ଜି ବୁଣୁଛନ୍ତି ବିରୋଧୀ । ଯାହାକି ଏବେ  ବିରୋଧୀଙ୍କ ପାଇଁ ବୁମେରାଂଙ୍କ ହେଲାଣି । କାରଣ ଆବାସ ଘର ଯୋଗଇ ଦେବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସ୍ବଚ୍ଛତାର ସହ କାମ କରୁଛନ୍ତି ବୋଲି କହିଛି  ଶାସକ ଦଳ ।

ଆବାସ କାର୍ଯ୍ୟକ୍ରମ ଠିକରେ କରେଇ ନଦେବା ପାଇଁ ବୋଧେ ବିଜେପି ଅଣ୍ଟା ଭିଡ଼ିଛି  । ଯେହେତୁ ନିର୍ବାଚନ ଅଛି ଇସ୍ୟୁ କରି ଭୋଟ ହାତେଇବା ଚାହୁଁଛନ୍ତି ବୋଲି ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି  । ଶାସକ ଦଳର କହିବା କଥା ହେଉଛି ଲୋକମାନେ ନିଜେ ବସିବେ, ନିଜେ ଜାଣିବେ । ଆବାସ ଯୋଜନା କଥା ଲୋକେ ଜାଣିଛନ୍ତି, ନାମ ତାଲିକା ଝୁଲା ହୋଇଛି ସବୁଠି । କ୍ରସ ଚେକ ବି ହୋଇଛି । ସମ୍ବିଧାନରେ ଗ୍ରାମସଭାକୁ ସ୍ୱୀକୃତି ଦିଆଯାଇଛି । ତେଣୁ ଆଜିଠାରୁ ଆବାସ ପାଇଁ ଗ୍ରାମସଭା ଆରମ୍ଭ କରାଯାଇଛି  ବୋଲି ଶାସକ ଦଳ କହିଛି  । ସେପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବି ଘର ବଣ୍ଟନ ରାଜନୀତି ନକରିବାକୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଆବାସ ତାଲିକା ନେଇ ଅଭିଯୋଗ ପରେ ଗ୍ରାମସଭା ଆରମ୍ଭ ହୋଇଛି । ଗ୍ରାମ ସଭାରେ ଯୋଗ୍ୟ, ଅଯୋଗ୍ୟ ହିତାଧିକାରୀଙ୍କ ନାମକୁ ନେଇ ଆଲୋଚନା କରାଯାଇଛି  l କିଛି ସ୍ଥାନରେ ନିଜ ନାମ କଟିଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ଗ୍ରାମ ସଭାକୁ ଆସି ଅସନ୍ତୋଷ ପ୍ରକାଶ କରିଛନ୍ତି l ପରେ ଏସବୁ ଉପରେ ଘମାଘୋଟ ଆଲୋଚନା ହେବା ପରେ ଯୋଗ୍ୟ ହିତାଧିକାରୀଙ୍କ ନାମକୁ ସୁପାରିସ କରି ବିଡିଓଙ୍କୁ ପ୍ରଦାନ କରାଯାଇଛି l ବହୁ ଯୋଗ୍ୟ ଅସହାୟ ହିତାଧିକାରୀ ଗ୍ରାମ ସଭାକୁ ନିଜ ସମସ୍ୟା ଜଣାଇଛନ୍ତି l ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ଯେତିକି ସହାୟତା ଦେଉଛି ପ୍ରଶାସନିକ ଖର୍ଚ୍ଚକୁ ମିଶାଇଲେ ରାଜ୍ୟ ସରକାର ମଧ୍ୟ ସମାନ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି । ରାଜ୍ୟ ସରକାରଙ୍କ ସ୍ବଚ୍ଛ ପ୍ରକ୍ରିୟା ଯୋଗୁଁ ଅଯୋଗ୍ୟ ହିତାଧିକାରୀ ନାଁରେ ଗରିବଙ୍କ ମୁଣ୍ଡରୁ ଛାତ ଛଡ଼ାଇନେବାକୁ ବିରୋଧୀ ଯେଉଁ ଚକ୍ରାନ୍ତ ରଚିଛନ୍ତି ତାହା ଏବେ ଧୀରେଧୀରେ ଫସର ଫାଟୁଛି ।