ମିଶନ ଶକ୍ତି କର୍ମୀଙ୍କ ଦାବି ପୂରଣ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ମିଶନ ଶକ୍ତି କର୍ମୀଙ୍କ ଦାବି ପୂରଣ କରିବେ ରାଜ୍ୟ ସରକାର । ୬ଟି କ୍ୟାଡରର ୧୨ ଜଣିଆ ପ୍ରତିନିଧି ଦଳ ମିଶନ ଶକ୍ତି ସଚିବଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସଫଳ ହୋଇଥିବା ସଂଘ ତରଫରୁ କୁହାଯାଇଛି । ପାଣି ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର ଭଳି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ସ୍କୁଟି ପାଇଁ ଋଣ ଦିଆଯିବ ।

ବ୍ୟାଙ୍କ ମିତ୍ରଙ୍କୁ ଲାପଟପ ଯୋଗାଇ ଦିଆଯିବ । ସେମାନଙ୍କୁ ବୈଷୟିକ ତାଲିମ ମଧ୍ୟ ପ୍ରଦାନ କରାଯିବ । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ସ୍ମାର୍ଟ ଡିଜିଟାଲ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସପୋର୍ଟ ଷ୍ଟାଫଙ୍କୁ କେନ୍ଦ୍ର ସରକାର ଆବଶ୍ୟକ ସହାୟତା ଯୋଗାଇବା ସହ ଦରମା ଅସଙ୍ଗତି ଦୂର ନକଲେ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ସେମାନଙ୍କ ଦାବି ପୂରଣ କରିବେ ।

ଆଜି ବିଜୁ ଶ୍ରମିକ ସାମୁଖ୍ୟ ବ୍ୟାନରରେ ୧୦ ଦଫା ଦାବି ପୂରଣ ପାଇଁ ଅଲ୍ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟ ରାଜଧାନୀରେ ବିଶାଳ ସମାବେଶ କରିଥିଲେ । ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର ନିକଟରେ ଚାପ ସୃଷ୍ଟି କରାଯାଇଥିଲା ।