ବିପିନ ରାଓ୍ୱତଙ୍କ ପରେ କିଏ ହେବ ପରର୍ବତ୍ତୀ CDS; ରେସରେ ଆଗରେ ଅଛନ୍ତି ସ୍ଥଳ ସେନା ମୁଖ୍ୟ

1 min read

ନୂଆଦିଲ୍ଲୀ: କିଏ ହେବେ ନୂଆ ସିଡିଏସ୍? ଜେନେରାଲ ବିପିନ ରାଓ୍ୱତଙ୍କ ପରେ କାହାକୁ ମିଳିବ ତିନି ସେନାର କମାଣ୍ଡ ? ବିପିନ ରାଓ୍ୱତଙ୍କ ନିଧନ ପରେ ପରବର୍ତ୍ତୀ ସିଡିଏସ୍‌ଙ୍କୁ ନେଇ ସସପେନ୍ସ ଜାରି ରହିଛି । କିଛି ସପ୍ତାହ ମଧ୍ୟରେ ସରକାର ପରବର୍ତ୍ତୀ ସିଡିଏସଙ୍କୁ ନିଯୁକ୍ତ କରିପାରନ୍ତି । ସିଡିଏସ୍ ବା ଚିଫ୍ ଡିଫେନ୍ସ ଷ୍ଟାଫ୍ ଚୟନ ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ । ସୀମା ସୁରକ୍ଷା ଚ୍ୟାଲେଞ୍ଜକୁ ନଜରରେ ରଖି ବରିଷ୍ଠ ବା ଅନୁଭବୀ ସେନା ଅଧିକାରୀଙ୍କୁ ସରକାର ଏହି ପଦରେ ଅବସ୍ଥାପିତ କରିବେ ।

ସରକାର ନୂଆ ସିଡିଏସ ପଦର ନିଯୁକ୍ତି ପାଇଁ ଏକ ପ୍ୟାନେଲ ଗଠନ କରିଛନ୍ତି । ଯେଉଁଥିରେ ସ୍ଥଳ ସେନା, ନୌସେନା ଓ ବାୟୁ ସେନାର ବରିଷ୍ଠ କମାଣ୍ଡର ସାମିଲ ଅଛନ୍ତି । ଆଗାମୀ ଦୁଇ ତିନି ଦିନ ମଧ୍ୟରେ ପ୍ୟାନେଲର ନିଷ୍ପତି ଅନୁସାରେ କିଏ ହେବ ନୂଆ ସିଡିଏସ ତାହା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଜଣାଇବେ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁମୋଦନ ପରେ ସେହି ନାଁ କ୍ୟାବିନେଟରେ ମଞ୍ଜୁର ହେବା ପାଇଁ ଯିବ । କ୍ୟାବିନେଟରେ ମଞ୍ଜୁର ହେବା ପରେ ପରର୍ବତ୍ତୀ ସିଡିଏସଙ୍କ ନାମ ଘୋଷଣା କରାଯିବ ।

ବିପିନ ରାଓ୍ୱତଙ୍କ ପରେ ସିନିୟର ସେନା ଅଧିକାରୀ ହେଉଛନ୍ତି ଏବେର ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱାଣେ । କାଶ୍ମୀର ଓ ପୂର୍ବୋତ୍ତର ଭାରତରେ କାଉଣ୍ଟର ଏମର୍ଜେନ୍ସି ଅପରେସନରେ ଜଣେ ପରାକ୍ରମି ଯୋଦ୍ଧା ହେଉଛନ୍ତି ଏମ ଏମ ନରଓ୍ୱାଣେ । ସ୍ଥଳ ସେନା ମୁଖ୍ୟ ନାରଓ୍ୱାଣେ ଆଗାମୀ ବର୍ଷ ଏପ୍ରିଲ ମାସରେ ଅବସର ନେବେ । ପରବର୍ତ୍ତୀ ସିଡିଏସ୍ ପାଇଁ ନରଓ୍ୱାଣେ ନାଁକୁ ନେଇ ଚର୍ଚ୍ଚା ହେଉଛି । ୪ ଦଶନ୍ଧୀ ଧରି ଭାରତୀୟ ସେନାରେ ପରାକ୍ରମ ଦେଖାଇଥିବା ନରଓ୍ୱାଣେ ଅନେକ ଗୁରୁଦାୟିତ୍ୱ ତୁଲାଇଛନ୍ତି । କାଶ୍ମୀରଠାରୁ ଆରମ୍ଭ କରି ନର୍ଥ-ଇଷ୍ଟରେ ଆତଙ୍କୀ ଅପରେସନରେ ତାଙ୍କର ସ୍ୱତନ୍ତ୍ର ରଣନୀତି ଯୋଗୁ ସେନାକୁ ଉଲ୍ଲେଖନୀୟ ସଫଳତା ମଧ୍ୟ ମିଳିଛି । ତେଣୁ ଭାରତର ଦ୍ୱିତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବରେ ନରଓ୍ୱାଣେଙ୍କୁ ଦାୟିତ୍ୱ ମିଳିପାରେ ବୋଲି ଆଶା କରାଯାଉଛି ।

Leave a Reply