ଖୁବଶୀଘ୍ର ଆସିବ ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ, ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା DCGI

1 min read

ନୂଆଦିଲ୍ଲୀ: ଖୁବଶୀଘ୍ର ଆସିବ ସିଙ୍ଗଲ ଡୋଜ କୋଭିଡ ଭ୍ୟାକ୍ସିନ ସ୍ପୁଟନିକ୍ ଲାଇଟ୍ । ଏହାର ଜରୁରୀକାଳୀନ ବ୍ୟବହାର ଲାଗି ସୁପାରିସ କରିଛି ବିଶେଷଜ୍ଞ ପ୍ୟାନେଲ । ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ ଗ୍ରୀନ ସିଗନାଲ ଦେବା ପରେ ଦେଶରେ ଆରମ୍ଭ ହେବ ସିଙ୍ଗଲଡୋଜ ଭ୍ୟାକ୍ସିନ ପ୍ରକ୍ରିୟା । ତେବେ ବିଭିନ୍ନ ନିୟାମକ ବ୍ୟବସ୍ଥା ମଧ୍ୟରେ ଏହି ଟିକା ଦିଆଯିବ ବୋଲି କହିଛନ୍ତି ବିଶେଷଜ୍ଞ ପ୍ୟାନେଲ । ବିଶ୍ୱକୁ ଆସିଥିବା ସ୍ପୁଟନିକ-ଭି ପରି ସ୍ପୁଟନିକ ଲାଇଟ ମଧ୍ୟ ମହାମାରୀ ବିରୋଧରେ ଶକ୍ତିଶାଳୀ ବୋଲି ବିଶେଷଜ୍ଞ କହିଛନ୍ତି ।

ଗତ ଜାନୁଆରୀ ୩୧ରେ ବସିଥିବା ବିଶେଷଜ୍ଞ କମିଟି ବୈଠକରେ ଡକ୍ଟର ରେଡିସ୍ ଲାବରେଟୋରି ପକ୍ଷରୁ ସ୍ପୁଟନିକ ଲାଇଟର ଆମଦାନି ପାଇଁ ପ୍ରସ୍ତାବ ଦାଖଲ କରାଯାଇଥିଲା । ଏହାର ଜରୁରୀକାଳୀନ ବ୍ୟବହାର ତଥା ବୁଷ୍ଟର ଡୋଜ ଟିକାକରଣ ପାଇଁ ଡକ୍ଟର ରେଡିସ ପକ୍ଷରୁ ଆବେଦନ କରାଯାଇଥିଲା । ସ୍ପୁଟନିକ-ଲାଇଟର କାର୍ଯ୍ୟକ୍ଷମତା, ଏହାର ନିରାପତ୍ତା ଆଦି ସମ୍ପର୍କରେ ରିପୋର୍ଟ ଉପସ୍ଥାପିତ କରାଯାଇଥିଲା । ଓମିକ୍ରନ ବିରୋଧରେ ଏହି ଟିକା ଫଳପ୍ରଦ ବୋଲି ମଧ୍ୟ କୁହାଯାଇଥିଲା । ସ୍ପୁଟନିକ ଲାଇଟ ବର୍ତ୍ତମାନ ଋଷ, ଆର୍ଜେଣ୍ଟିନା ସମେତ ୨୯ରୁ ଅଧିକ ରାଷ୍ଟ୍ରରେ ବ୍ୟବହୃତ ହେଉଛି ।

ନିଜ ରିପୋର୍ଟରେ ବିଶେଷଜ୍ଞ ପ୍ୟାନେଲ ଦର୍ଶାଇଥିଲା ଯେ, ଡକ୍ଟର ରେଡିସ ପକ୍ଷରୁ ସ୍ପୁଟନିକ ଲାଇଟକୁ ନେଇ ଭାରତରେ ସଫଳ ପରୀକ୍ଷଣ କରାଯାଇଛି ଏବଂ ଏହାର ନିରାପତ୍ତା ଓ ପ୍ରତିରୋଧ କ୍ଷମତା ସଠିକ୍ ପ୍ରମାଣିତ ହୋଇଛି । ବିଭିନ୍ନ ଦିଗକୁ ବିଚାର କରି ସ୍ପୁଟନିକ ଲାଇଟର ବ୍ୟବହାର ଲାଗି ଅନୁମତି ଦେବାକୁ ଡିସିଜିଆଇଙ୍କ ନିକଟରେ ସୁପାରିସ କରିଛି ପ୍ୟାନେଲ । ସ୍ପୁଟନିକ ଲାଇଟକୁ ଅନୁମତି ମିଳିଲେ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହା ଦିଆଯାଇପାରିବ । ବର୍ତ୍ତମାନ ସ୍ପୁଟନିକକୁ ନେଇ ଚାଲିଥିବା କ୍ଲିନିକାଲ ଟ୍ରାଏଲର ରିପୋର୍ଟ ନିୟମିତ ଦାଖଲ ଲାଗି ଡକ୍ଟର ରେଡିସକୁ ନିର୍ଦ୍ଦେଶ ଦେଇଛି ପ୍ୟାନେଲ । ଏପଟେ ବିହାରରେ ଆରମ୍ଭ ହୋଇଛି ଦେଶର ପ୍ରଥମ ଛୁଞ୍ଚିବିହୀନ କୋଭିଡ ଟିକା ଜାଇକୋଭ-ଡି । କୋଭାକ୍ସିନ ପରେ ଜାଇକୋଭ -ଡି ହେଉଛି ଦେଶର ଦ୍ୱିତୀୟ ସ୍ୱଦେଶୀ ଟିକା ।

Leave a Reply