spot_img

Latest Posts

ଏଣିକି ସିଧା ସରକାରଙ୍କୁ କରିପାରିବେ ‘ଫେସବୁକ’, ‘ଟ୍ୱିଟର’ ସମ୍ପର୍କିତ ଅଭିଯୋଗ, ୩ ମାସରେ ଗଠନ ହେବ ଅଭିଯୋଗ କମିଟି

ନୂଆଦିଲ୍ଲୀ: ଅଧିକ କଡ଼ା ହେଲା ସୋସିଆଲ ମିଡିଆ ନିୟମ । ଫେସବୁକ, ଟ୍ୱିଟର ତଥା ଅନ୍ୟ ସୋସିଆଲ ମିଡିଆର କଣ୍ଟେଣ୍ଟ ପ୍ରସଙ୍ଗରେ ଏଣିକି ଆପେଲେଟ ପ୍ୟାନେଲ ନିକଟରେ କରାଯାଇପାରିବ ଅଭିଯୋଗ । ଆସନ୍ତା ୩ ମାସ ମଧ୍ୟରେ ସରକାର ନିଯୁକ୍ତ କରିବେ ଆପେଲେଟ କମିଟି। ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା କୌଣସି କଣ୍ଟେଣ୍ଟ ପ୍ରସଙ୍ଗରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେ ଏହି ପ୍ୟାନେଲ ନିକଟରେ ଅଭିଯୋଗ କରିପାରିବେ। ଗ୍ରିଭାନ୍ସ ଆପେଲେଟ କମିଟି ଅଭିଯୋଗର ଶୁଣାଣି କରି ତାଙ୍କର ନିଷ୍ପତ୍ତି ୱେବସାଇଟରେ ଅପଲୋଡ କରିବ।

କୌଣସି କମ୍ପାନିର ଗ୍ରିଭାନ୍ସ ଅଫିସରଙ୍କ ଉତ୍ତରରେ ଯଦି ଜଣେ ବ୍ୟକ୍ତି ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେ ଆପେଲେଟ କମିଟି ନିକଟରେ ଅଭିଯୋଗ କରିପାରିବେ। ସୂଚନା ପ୍ରଯୁକ୍ତି ସଂଶୋଧନ ନିୟମାବଳୀ-୨୦୨୨ ଅନୁସାରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନୂଆ ନିୟମ ଅନୁସାରେ, କୌଣସି ଅଭିଯୋଗକୁ କମ୍ପାନିର ଗ୍ରିଭାନ୍ସ ଅଫିସର ୨୪ ଘଣ୍ଟା ମଧ୍ୟରେ ଗ୍ରହଣ କରିବେ ଏବଂ ୧୫ ଦିନ ମଧ୍ୟରେ ଅଭିଯୋଗର ସମାଧାନ କରିବେ। ଯଦି କମ୍ପାନିର ଗ୍ରିଭାନ୍ସ ଅଫିସରଙ୍କ ଉତ୍ତରରେ ଜଣେ ସନ୍ତୁଷ୍ଟ ନହୁଅନ୍ତି, ତେବେ ସେ ଆପେଲେଟ କମିଟି ନିକଟରେ ଅଭିଯୋଗ କରିବେ । ୬ଟି କ୍ଷେତ୍ରକୁ ଭିତ୍ତି କରି ସୋସିଆଲ ମିଡିଆ ସମ୍ପର୍କରେ ଅଭିଯୋଗ କରାଯାଇପାରିବ । ପ୍ରଥମରେ ରହିଛି, ଅଶ୍ଳୀଳ, ଯୌନତା, ଯୌନମାନସିକତା, ପ୍ରାଇଭାସି, ଲିଙ୍ଗ, ବର୍ଣ୍ଣ, ଜାତିକୁ ଆକ୍ଷେପ କରିବା । ଦ୍ୱିତୀୟରେ ଶିଶୁଙ୍କ ଲାଗି କ୍ଷତିକାରକ ପ୍ରସଙ୍ଗ। ତୃତୀୟରେ ମେସେଜର ଉତ୍ପତ୍ତି ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ଦେବା ସହ ଜାଣିଶୁଣି ସୂଚନାକୁ ପ୍ରସାର କରିବା। ଚତୁର୍ଥରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଜାଲ ପରିଚୟ ଦେଇ ସୋସିଆଲ ମିଡିଆ ବ୍ୟବହାର କରିବା । ପଞ୍ଚମରେ ଦେଶର ଏକତା, ସଂହତି, ପ୍ରତିରକ୍ଷା, ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରସଙ୍ଗ ତଥା ଅନ୍ୟ ଦେଶ ପ୍ରତି ଆକ୍ଷେପ । ଷଷ୍ଠରେ କମ୍ପ୍ୟୁଟର ପ୍ରତି କ୍ଷତି ପହଞ୍ଚାଉଥିବା ସଫ୍ଟଓ୍ବେର ଭାଇରସ, କମ୍ପ୍ୟୁଟର କୋଡ, ଫାଇଲ ବା ପ୍ରୋଗ୍ରାମର ପ୍ରସାରଣ।

Latest Posts

Don't Miss