ପରୀକ୍ଷା ଆଗରୁ ମୋଟା ହୋଇଯାଇଥିଲି, ଜାଲିଆତି କରି ଚାକିରି ପାଇଥିବା ପ୍ରାର୍ଥୀ ଧରା ପଡ଼ିବା ପରେ ଦେଲେ ଏଭଳି ବାହନା

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ ୟୁପିଏସସି ବହିଷ୍କୃତ ପରେ ଏବେ ନକଲି ପରୀକ୍ଷାର୍ଥୀଙ୍କ ଉପରେ ନଜର  । ପରୀକ୍ଷାର୍ଥୀଙ୍କ ପ୍ରକୃତ ପରିଚୟ ଜାଣିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ  । ଏଭଳି ୧୨ ଜଣ ନକଲି ପରୀକ୍ଷାର୍ଥୀଙ୍କ ପରିଚୟ ମାମଲା ସାମନାକୁ ଆସିଛି  । କେନ୍ଦ୍ର ସରକାରଙ୍କ ଚାକିରି ପାଇଁ ଏମାନଙ୍କ ଚୟନ ହୋଇଥିବାବେଳେ ଏବେ ରିଜେକ୍ଟ କରିଦିଆଯାଇଛି  ।

କେନ୍ଦ୍ର ସରକାରଙ୍କ ଟେକନିକାଲ ବିଭାଗରେ ଏମାନେ ଯୋଗ ଦେଇଥାନ୍ତେ  । କିନ୍ତୁ ଏହା ପୂର୍ବରୁ ନକଲି ପରୀକ୍ଷାର୍ଥୀଙ୍କ ପର୍ଦ୍ଦାଫାଶ ହୋଇଛି  । ସମସ୍ତଙ୍କ ନିଯୁକ୍ତିକୁ ଜରୁରୀକାଳୀନ ପ୍ରଭାବରେ ସ୍ଥଗିତ ରଖାଯାଇଛି  । କିଛି ମାମଲାରେ ପରୀକ୍ଷାର୍ଥୀ ଡକ୍ୟୁମେଣ୍ଟରେ ଜାଲିଆତି କରିଥିବାବେଳେ କିଛି ପରୀକ୍ଷାର୍ଥୀଙ୍କ ଫଟୋକପି ସେମାନଙ୍କ ଚେହେରା ସହ ମ୍ୟାଚ ହେଉ ନଥିବା ଘଟଣା ସାମନାକୁ ଆସିଛି  ।

ଜଣେ ଅଧିକାରୀ କହିଛନ୍ତି ଯେ ସଫଳ  ପରୀକ୍ଷାର୍ଥୀଙ୍କୁ ମଲ୍ଟି ଟାସ୍କିଂ ଷ୍ଟାଫ (ଟେକନିସିଆନ) ରୂପେ ନିଯୁକ୍ତି ଦିଆଯାଇଥିଲା  । କିନ୍ତୁ ଭେରିଫିକେସନ ପାଇଁ ଅଧିକାଂଶ ସେଠାକୁ ଆସିନଥିଲେ  । ସେହିପରି ଭେରିଫିକେସନ ବେଳେ ଅଧିକାଂଶଙ୍କ ଫଟୋ ସହ ସେମାନଙ୍କ ମୁହଁ ମିଶି ନଥିଲା  । ଏହାର କାରଣ ସେମାନେ ବହୁତ ଅଜୀବ ବାହାନା କରିଥିଲେ  । କେହି କହିଥିଲେ ମୋର ପରୀକ୍ଷା ପୂର୍ବରୁ ଓଜନ ବୃଦ୍ଧି ହୋଇଛି ତ ଆଉ କେହି ହେୟାରଷ୍ଟାଇଲ ବଦଳି  ଯାଇଥିବା କହିଥିଲେ  ।