ସରକାର ଲଦିଲେ ଗ୍ୟାସ୍ ବୋଝ: ଏକାଥରେ ୫୦ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ମୂଲ୍ୟ

ନନ୍ଦିଘୋଷ ବ୍ୟୁରୋ: ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକେ ଦହଗଞ୍ଜ ହେଉଥିବା ବେଳେ ଆହୁରି ବୋଝ ବଢ଼ାଇଲେ କେନ୍ଦ୍ର ସରକାର । ଏଥର ଘରୋଇ ଏଲପିଜି ଗ୍ୟାସ ଦର ବଢ଼ାଇ ଖାଉଟିଙ୍କ ପକେଟ ଉପରେ ପ୍ରହାର କରିଛନ୍ତି ସରକାର । ଏକାଥରେ ଏଲପିଜି ସିଲିଣ୍ଡରର ଦାମ ୫୦ ଟଙ୍କା ବଢ଼ାଇଛନ୍ତି କେନ୍ଦ୍ର ସରକାର । ଘରୋଇ ୧୪ କେଜି ସିଲିଣ୍ଡର ଗ୍ୟାସ ଉପରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଏପରିକି ଉଜ୍ଜ୍ବଳା ଯୋଜନାରେ ମିଳୁଥିବା ଗ୍ୟାସ୍ ସିଲିଣ୍ଡରର ଦାମ ମଧ୍ୟ ବଢ଼ାଇଛନ୍ତି ।
ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଅନ୍ତରାଷ୍ଟ୍ରୀୟ ବଜାରରେ ମୂଲ୍ୟ ବୃଦ୍ଧି ଘଟୁଥିବା ବେଳେ ଏଠାରେ କମୁଛି । ରୋଷେଇ ଗ୍ୟାସ ସିଲିଣ୍ଡରରେ ୫୦ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନେଇଛୁ । ଆଗାମୀ ଦିନରେ ଏହାର ସମୀକ୍ଷା କରାଯିବ ।
ମୂଲ୍ୟ ବୃଦ୍ଧି ପରେ ଏବେ ଓଡ଼ିଶାରେ ୮୭୯ ଟଙ୍କା ଦେଇ ୧୪ କେଜି ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିବାକୁ ପଡ଼ିବ । ପୂର୍ବରୁ ୮୨୯ ଟଙ୍କାରେ ଖାଉଟୀ ପାଉଥିଲେ । ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁତୁ ହୁତୁ ହୋଇ ବଢ଼ି ଚାଲିଥିବା ବେଳେ ଗ୍ୟାସ ଦର ବୃଦ୍ଧି ଗରିବ, ମଧ୍ୟବିତ୍ତ ପରିବାରଙ୍କ ପାଇଁ କୋରଡ଼ା ମାଡ଼ ସଦୃଶ୍ୟ ହୋଇଛି ।