କରୋନା ବେଳେ ଡାଲି ଓ ତୈଳବୀଜ ଚାଷୀଙ୍କୁ ସହାୟକ ହେଲେ ସରକାର, ୧୩ ଜିଲ୍ଲାରୁ କିଣିଲେ ୬୦ କୋଟିର ତୈଳବୀଜ…..
1 min read
ଭୁବନେଶ୍ୱର : କୋଭିଡ-୧୯ ସ୍ଥିତିରେ ରାଜ୍ୟର ଚାଷୀମାନଙ୍କ ଠାରୁ ମୂଲ୍ୟ ସହାୟକ ଯୋଜନାରେ ଡାଲି ଓ ତୈଳବୀଜ ସଂଗହ କରିବାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଗତବର୍ଷ ତୁଳନାରେ ପ୍ରାୟ ଦଶକୋଟି ଟଙ୍କାର ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି । ସାରା ରାଜ୍ୟରେ କୋଭିଡ-୧୯ ସ୍ଥିତିରେ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ବଜାୟ ରଖି ଏବଂ ସଂପୃକ୍ତ ଅଧିକାରୀଙ୍କ ସହିତ ସ୍ଥିତିର ନିୟମିତ ସମୀକ୍ଷା କରି ଗତବର୍ଷ ତୁଳନାରେ ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇପାରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।
ରାଜ୍ୟରେ କୋଭିଡ୍-୧୯ ସ୍ଥିତିକୁ ଆଖିରେ ରଖି, ଗତବର୍ଷ ତୁଳନାରେ ୨୦ ପ୍ରତିଶତ ବା ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୁଲ୍ୟରୁ ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି।@CMO_Odisha @Food_Odisha @Coop_Odisha
— Ranendra Pratap Swain (@rajaaswain) August 10, 2020
ଗତବର୍ଷ ମୋଟ ୫୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟ ଟଙ୍କାର ଡାଲି ଓ ତୈଳବୀଜ ଚାଷୀମାନଙ୍କ ଠାରୁ ମୂଲ୍ୟ ସହାୟକ ଯୋଜନାରେ ସଂଗ୍ରହ କରାଯାଇଥିବାବେଳେ ଚଳିତ ବର୍ଷ ୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସଂଗ୍ରହ କରାଯାଇଛି । ଏଥି ମଧ୍ୟରେ ୬୯୯୫.୩୮୨ ମେଟ୍ରିକ ଟନ ମୁଗ, ୨୦୧୧.୩୩୫ ମେଟ୍ରିକ ଟନ ଚିନାବାଦାମ ଏବଂ ୧୨୧.୦୭୯ ମେଟ୍ରିକ ଟନ ସୂର୍ଯ୍ୟମୁଖୀ ମଂଜି ଅନ୍ତର୍ଭୁକ୍ତ ରହିଛି । ଗତବର୍ଷ ସମୁଦାୟ ୭୫୯୩.୨୮୦ ମେଟ୍ରିକ ଟନ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବାବେଳେ ୨୦୧୯-୨୦ ରବି ଋତୁରେ ୯୧୨୭.୭୯୬ ମେଟ୍ରିକ ଟନ ସଂଗ୍ରହ କରାଯାଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୨୦ ପ୍ରତିଶତ ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି ।
ଏଥିସହିତ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ବଜାୟ ରଖି ଏବଂ ସଂପୃକ୍ତ ଅଧିକାରୀଙ୍କ ସହିତ ସ୍ଥିତିର ନିୟମିତ ସମୀକ୍ଷା କରି, ଏହି କାର୍ଯ୍ୟ କରାଯାଉଛି।@CMO_Odisha @Food_Odisha @Coop_Odisha
— Ranendra Pratap Swain (@rajaaswain) August 10, 2020
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସମବାୟ ବିଭାଗ ପକ୍ଷରୁ ମାର୍କଫେଡ ଦ୍ୱାରା ରାଜ୍ୟର ଗତବର୍ଷ ୮ଟି ଜିଲ୍ଲା ତୁଳନାରେ ଚଳିତ ବର୍ଷ ୧୩ଟି ଜିଲ୍ଲାରୁ ବିଭିନ୍ନ ପ୍ୟାକେଜ ଜରିଆରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କ ଠାରୁ ମୁଗ, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଂଜି ସଂଗ୍ରହ କରାଯାଇଛି । ଏଥି ମଧ୍ୟରେ ଯାଜପୁର ଜିଲ୍ଲାରୁ ମୋଟ ୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବାବେଳେ ମାଲକାନଗିରି ଜିଲ୍ଲାରୁ ୯ କୋଟିରୁ ଉର୍ଦ୍ଧ୍ୱ, ଜଗତସିଂହପୁର ଜିଲ୍ଲାରୁ ୮ କୋଟିରୁ ଉର୍ଦ୍ଧ୍ୱ ଏବଂ ପୁରୀ ଜିଲ୍ଲାରୁ ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି ।