ସଂସଦ ଭବନର ସୁରକ୍ଷାରେ ରହିବେ ପୋଲିସ ବଦଳରେ ସିଆଇଏସଏଫ୍

ନୂଆଦିଲ୍ଲୀ: ସଂସଦ ସୁରକ୍ଷାରେ ତ୍ରୁଟି ଘଟଣା ପରେ ଗୃହ ମନ୍ତ୍ରାଳୟ ବଡ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁଯାୟୀ ସଂସଦ ଭବନ ସୁରକ୍ଷାରେ ପୋଲିସ ନୁହେଁ ମୁତୟନ ହେବ ସିଆଇଏସଏଫ । ଏବେ ଦିଲ୍ଲୀ ପୋଲିସ ନୁହେଁ ସିଆଇଏସଏଫର ଯବାନ ସଂସଦ ସୁରକ୍ଷା କରିବେ ।

ସଂସଦରେ ସୁରକ୍ଷା ଉଲ୍ଲଂଘନ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଅନେକ ସୁରକ୍ଷା ଏଜେନ୍ସି ସହିତ ଏକ ବୈଠକ କରିଥିଲେ। ଏହି ବୈଠକରେ ଦିଲ୍ଲୀ ପୋଲିସ, ଗୃହ ମନ୍ତ୍ରଣାଳୟ (ଏମଏଚଏ), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ୍)ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) ଏବଂ ଅନ୍ୟାନ୍ୟ ଏଜେନ୍ସିର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ସଂସଦର ସୁରକ୍ଷା ସହ ଜଡିତ ପ୍ରସଙ୍ଗଗୁଡିକ ଏହି ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଏହା ପରେ ସଂସଦର ସୁରକ୍ଷା ଦାୟିତ୍ବକୁ ସିଆଇଏସ୍ଏଫ୍ ହସ୍ତାନ୍ତର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ନୂଆ ଓ ପୁରୁଣା ଦୁଇ ସଂସଦ ପରିସର ଏବଂ ତାକୁ ଲାଗିଥିବା ସମସ୍ତ ବିଲିଡିଂର ସୁରକ୍ଷା ସିଆଇଏସଏଫ ଦାୟିତ୍ୱକୁ ଦିଆଯାଇଛି । ଏହାଛଡା ସଂସଦ ସୁରକ୍ଷା ସେବା, ଦିଲ୍ଲୀ ପୋଲିସ, ସିଆରପିଏଫ ମଧ୍ୟ ଉପସ୍ଥିତି ରହିବେ । ସିଆଇଏସଏଫ ଦିଲ୍ଲୀ ଏୟାରପୋର୍ଟ ଏବଂ ଦିଲ୍ଲୀ ମେଟ୍ରୋ ସୁରକ୍ଷା ଦାୟିତ୍ୱରେ ରହିଛି  ।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ସଂସଦର ଲୋକସଭା ଭବନରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଦର୍ଶକ ଗ୍ୟାଲେରୀରୁ ଡେଇଁ ଆତଙ୍କ ରଚିଥିଲେ । କିଛି ସ୍ପ୍ରେ କରିବା ସହିତ ସ୍ମୋକ ଫାୟାର ମଧ୍ୟ କରିଥିଲେ । ଏହି ଘଟଣାରେ ମୋଟ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।