ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଭିଜିଲାନ୍ସ ଜାଲରେ ୨ ଅଧିକାରୀ

1 min read

ବୌଦ୍ଧ: ଭିଜିଲାନ୍ସ ଜାଲରେ ପୁଣି ଫସିଛନ୍ତି ଦୁଇ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଅଧିକାରୀଙ୍କ ଘରେ ଚଢାଉ କରିଛି ।

ଏହି ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି- ବୌଦ୍ଧ କଣ୍ଟାମାଳ ସେବା ସମବାୟ ସମିତି ସମ୍ପାଦକ । ତାଙ୍କର କୋଟିଏରୁ ଅଧିକ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍। ଗତକାଲି ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରେଡ୍ ଚାଲିଥିଲା ।

ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ନିର୍ଦେଶରେ ଫୁଲବାଣୀ, ବୌଦ୍ଧ ଓ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ୧୮ ଜଣିଆ ଟିମ୍ ମିଳିତ ଚଢ଼ାଉ କରିଥିଲା । ରେଡ୍ ବେଳେ ଏହି କୁବେର ସମ୍ପାଦକଙ୍କ ନିକଟରୁ ୧ କୋଟି ୯ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଠାବ ହୋଇଛି । ଉମା ଗାଁରେ ଥିବା ତାଙ୍କର ଦୁଇଟି କୋଠାର ମୂଲ୍ୟ ୪୫ ଲକ୍ଷ ହେବ ବୋଲି ଆକଳନ କରାଯାଇଛି ।

ତାଙ୍କ ଘରୁ ୭ ଲକ୍ଷରୁ ଅଧିକ ନଗଦ ଟଙ୍କା, ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଗହଣା, ବିଭିନ୍ନ ବ୍ୟାଙ୍କରେ ଜମା ହୋଇଥିବା ୩ ଲକ୍ଷ ୫୫ ହଜାର ଟଙ୍କା, ୨ଲକ୍ଷ ଟଙ୍କାର ଆସବାବପତ୍ର ଠାବ ହୋଇଛି । ୧୯୮୪ ମସିହାରେ ସେଲସମ୍ୟାନ ଭାବରେ ଚାକିରୀ ଆରମ୍ଭ କରିଥିବା ଏହି କୁବେର ସମ୍ପାଦକଙ୍କ ପାଖରେ ଏତେ ସମ୍ପତି କେଉଁଠୁ ଆସିଲା ସେନେଇ ଭିଜିଲାନ୍ସ ଖୋଳତାଡ଼ କରୁଛି ।

ସେହିପରି ଭିଜିଲାନ୍ସ ଜାଲରେ ଫସିଛନ୍ତି ଅନ୍ୟଜଣେ ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଏହି ବାବୁ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି କଲେଜର ଡେମନଷ୍ଟେଟର କୈଳାସ ଚନ୍ଦ୍ର ମହାନ୍ତି। ଏକକାଳୀନ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ତାଙ୍କ ବାସଭବନ ସମେତ ବ୍ରହ୍ମପୁରର ୫ଟି ସ୍ଥାନରେ ରେଡ୍ ଚାଲିଛି ।

ଏହାବ୍ୟତୀତ ଭୁବନେଶ୍ୱର ସ୍ଥିତ ତାଙ୍କ ଘରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ରେଡ୍ ଜାରି ରଖିଛି ।

Leave a Reply