spot_img

Latest Posts

ସରକାର ଖର୍ଚ୍ଚ କରିପାରୁନାହନ୍ତି ବଜେଟ ଅର୍ଥ: ହିସାବ ମାଗିଲେ ବିରୋଧୀ

ସରକାର ଖର୍ଚ୍ଚ କରିପାରୁନାହନ୍ତି ବଜେଟ ଅର୍ଥ। ମୁଖ୍ଯମନ୍ତ୍ରୀ ଅର୍ଥି ବିଭାଗ ଦାୟିତ୍ବରେ। ମୂଳ ବଜେଟରେ ଦିଆଯାଇଥିବା ଅର୍ଥ କେଉଁ ବିଭାଗ କେତେ ପ୍ରତିଶତ ଖର୍ଚ୍ଚ କରିଛନ୍ତି। ଏହାର ହିସାବ ଦିଅନ୍ତୁ। ସରକାର ଯେପରି ଉତ୍ତର ରଖୁଛନ୍ତି ତାହା କେବଳ ଉପରଠାଉରିଆ। ବଜେଟ ଅର୍ଥ ଖର୍ଚ୍ଚ କରିବାରେ ସରକାର ବିଫଳ। ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ମୂଳ ପ୍ରଶ୍ନକର୍ତ୍ତା ବିଜେଡି ବିଧାୟକ ପ୍ରତାପ ଦେବ ସରକାରଙ୍କୁ ପ୍ରଶ୍ନ କରିଥିଲେ। ମୁଖ୍ଯମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖିଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମହାଲେଖାକାରଙ୍କ ହିସାବ ଦେଖାଇ ଗୃହରେ ବିଧାୟକ ପ୍ରତାପ ଦେବ କହିଥିଲେ ଅକ୍ଟୋବର ମାସ ଶେଷ ସୁଦ୍ଧା ୧ ଲକ୍ଷ ୧୪ ହଜାର ୫୧୮ କୋଟି ଟଙ୍କା ବ୍ୟୟ ହୋଇଛି । ଯାହାକି ସମୁଦାୟ ବଜେଟ ଅର୍ଥର ୩୯ ପ୍ରତିଶତ। ଯେଉଁଥିରେ କ୍ରୀଡ଼ା ସମେତ ଯୋଜନା ଓ ସଂଯୋଜନ, MSME ବିଭାଗର ଖର୍ଚ୍ଚ ଅତି ନଗଣ୍ୟ । ଯେଉଁଠି ପ୍ରଶାସନିକ ବ୍ଯୟ ୪୪% ଓ ଦରମା ବାବଦ ୩୬% ଖର୍ଚ୍ଚ ରହିଛି । ମାର୍ଚ୍ଚ ସୁଦ୍ଧା ଆଉ ମାତ୍ର ୧୫% ହିଁ ଖର୍ଚ୍ଚ ହୋଇ ପାରିବା ନେଇ ଆକଳନ ହୋଇଛି । ସେପଟେ କେନ୍ଦ୍ର ଅନୁଦାନ ୪୧୦୦୦ କୋଟି ଆକଳନ କରାଯାଇଥିଲା । ହେଲେ ମିଳିଛି ମାତ୍ର ୭ ହଜାର ୬୧୩ କୋଟି। ଯାହା ମାତ୍ର ୧୮% । ବଡ଼ ବଜେଟ ପରେ ବଜେଟ ହେଉଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ପୁଣି ଥରେ ଆଉ ଦୁଇମାସ ପରେ ବଜେଟ ଆସିବ। ହେଲେ ଲାଭ କଣ। ଲୋକଙ୍କ ବିକାଶ ଚୁଲିକି ଗଲାଣି ବୋଲି ବିରୋଧୀ ଗୃହରେ ଅଭିଯୋଗ କରିଥିଲେ। ବଜେଟ ଖର୍ଚ୍ଚ ନ ହେଲେ ବିକାଶ ହୋଇ ପାରିବ ନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସରକାରଙ୍କୁ ଆକ୍ଷେପ କରିଥିଲେ।

ଅପରପକ୍ଷରେ ଆଇନ ମନ୍ତ୍ରୀ କହିଲେ, ଗତ ବର୍ଷ ଅକ୍ଟୋବର ତୁଳନାରେ ଅଧିକ ଖର୍ଚ୍ଚ ହୋଇଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ବଜେଟ ଭଲ ଭାବେ ଖର୍ଚ୍ଚ ହେବ । ଏଥର ଅଧିକ ମୌସୁମୀ ଯୋଗୁଁ ବ୍ୟୟ ଧିମେଇ ଥିବା ଆଇନ ମନ୍ତ୍ରୀ ସ୍ୱୀକାର କରିଛନ୍ତି । ଯେଉଁ ବିଭାଗରେ ଖର୍ଚ୍ଚ ହୋଇଛି ତାହାର ସମୀକ୍ଷା ହେବ । ଏ ନେଇ ମୁଖ୍ୟ ଶାସନ ସଚିବ ଓ ଅର୍ଥ ବିଭାଗ ବି ସମୀକ୍ଷା କରୁଛନ୍ତି ବୋଲି ଗୃହକୁ ମନ୍ତ୍ରୀ ଜଣାଇଛନ୍ତି । ଅର୍ଥଶାସ୍ତ୍ରୀଙ୍କ ହିସାବରେ, GSDP ସହ ପୁଞ୍ଜି ବ୍ୟୟ ପ୍ରତ୍ୟକ୍ଷ ଅନୁପାତ । ତେଣୁ ପୁଞ୍ଜି ବ୍ୟୟ କେତେ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଯେବେ ବି ପୁଞ୍ଜି ବ୍ୟୟର ଶ୍ୱେତପତ୍ର ମଗାଯାଉଛି, ତାହା ମିଳୁ ନଥିବା ନେଇ ସେ ଅଭିଯୋଗ କରିଛନ୍ତି । ଗତ ବର୍ଷ କେତେ ବଜେଟ ଫେରସ୍ତ ହୋଇଥିଲା ଓ ଚଳିତ ବର୍ଷ କେତେ ଫେରସ୍ତ ହେବ ଏ ନେଇ ବି ନିରଞ୍ଜନ ପୂଜାରୀ ପ୍ରଶ୍ନ କରିଥିଲେ । ହେଲେ ଏହାର ଉତ୍ତର ମିଳି ପାରି ନଥିବାରୁ ନିରଞ୍ଜନ ପୂଜାରୀ ବାଚସ୍ପତିଙ୍କ ଆଗରେ ଆପତ୍ତି ଉଠାଇ ଥିଲେ ।

Latest Posts

Don't Miss