ରାଜ୍ୟରେ ସ୍ଥାଣୁ ପାଲଟିଛି ସାମ୍ବିଧାନିକ ପଦବୀ

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ସାମ୍ବିଧାନିକ ପଦବୀଗୁଡିକ ସ୍ଥାଣୁ ପାଲଟିଯାଇଛି। ବର୍ଷେ ହେବ ପଦବୀପୂରଣ ନହେବା ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପ୍ରତିପାଦିତ କରୁଛି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ୪ ସପ୍ତାହ ଭିତରେ ଲୋକାୟୁକ୍ତ, ମହିଳା କମିଶନ ଓ ଶିଶୁ କମିଶନ ପଦବୀ ପୂରଣ କରା ନଗଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ଚେତାବନୀ ଦେଇଛି । ସେପଟ ବିଜେଡି କହିଛି ନିଗମ ବଣ୍ଟନ ଓ ୬ ଟି ମନ୍ତ୍ରୀପଦ ପୂରଣ କରିବାରେ ବି ଅସଫଳ ହୋଇଛି ଶାସକ ଦଳ । ଯାହାର ଜବାବ ରଖିଛି ବିଜେପି ।

ଲୋକାୟୁକ୍ତ କମିଶନ, ମହିଳା କମିଶନ, ଶିଶୁ ସୁରକ୍ଷା କମିଶନ ପରି ବଡ ବଡ  ସାମ୍ବିଧାନିକ ପଦବୀ ରାଜ୍ୟରେ ଖାଲିପଡିଛି । ବିଜେପି ସରକାର ହେବା ଦିନ ଠାରୁ ସ୍ଥାଣୁ ରହିଛି ପଦବୀ । ସ୍ବଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବିଜେପି ସରକାରକୁ ଏହି ପ୍ରସଙ୍ଗରେ ଘେରିଛି କଂଗ୍ରେସ। ରାଜ୍ୟରେ ବିଜେପି ଶାସନକୁ ଆସିବା ଦିନଠାରୁ ନାବାଳିକା ଓ ମହିଳା ନିର୍ଯାତନା ବୃଦ୍ଧି ପାଉଛି। ମହିଳା କମିଶନ ନିଯୁକ୍ତି ହୋଇନଥିବାରୁ ରାଜ୍ୟରେ ନିର୍ଯାତନାର ଶିକାର ମହିଳାମାନେ କାହାକୁ ନିଜର  ଦୁଃଖ ଜଣାଇବେ ବୋଲି କଂଗ୍ରେସ କରିଛି ପ୍ରଶ୍ନ। କେଉଁ ଆଧାରରେ ରାଜ୍ୟ ସରକାର ମହିଳା କମିଶନ ଓ ଏହାର ସମସ୍ତ ସଦସ୍ୟମାନଙ୍କୁ କାଢିଦେଲେ ବୋଲି ଦଳ ପ୍ରଶ୍ନ କରିଛି । ରାଜ୍ୟ ସରକାର ଆଇନକୁ ସମ୍ମାନ ଦେଉଥିଲେ ଲୋକାୟୁକ୍ତ, ମହିଳା ଓ ଶିଶୁ କମିଶନ ପଦବୀ ତୁରନ୍ତ ପୂରଣ କରନ୍ତୁ । ଯଦି ୪ ସପ୍ତାହ ମଧ୍ୟରେ ଖାଲି ପଡ଼ିଥିବା ପଦବୀ ପୂରଣ ନ କରିବେ ତେବେ  କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି l କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି । ବିଜେପି କହିଛି କେଉଁ ପଦବୀପୂରଣ ହେବ ତାହା ରାଜ୍ୟ ସରକାରଙ୍କ ନିଷ୍ପତି । କଂଗ୍ରେସ ନିଜ ଦଳ କଥା ବୁଝୁ।

ବିଜେପି ସରକାର ବର୍ଷପୂର୍ତ୍ତି ଲାଗି ଉତ୍ସବ ପାଳନ କରିବାକୁ ଯାଉଛି । ତେବେ ବର୍ଷେ ହେବ ଦଳ ନିଗମ ବଣ୍ଟନ କରିପାରୁନଥିବାରୁ ଶାସନ ଦଳକୁ ସମାଲୋଚନା କରିଛି ବିଜେଡି । ବିଜେଡି ବିଧାୟକ ଗୌତମ ବୃଦ୍ଧ ଦାସ କହିଛନ୍ତି- ବିଜେପି ଯଦି ନିଗମ ବଣ୍ଟନ କରିବ ତେବେ ତାଙ୍କ ଦଳରେ ବିସ୍ଫୋରଣ ହେବ । ଯେଉଁଥି ପାଇଁ ସେମାନେ ନିଗମ ବଣ୍ଟନ କରିପାରୁନାହାନ୍ତି । ଏହାସହ ବର୍ଷେ ହେବ ୬ଟି ମନ୍ତ୍ରୀପଦ ଖାଲିପଡିଛି । ଦଳର ୭୮ ଜଣ ବିଧାୟକଙ୍କ ମଧ୍ୟରୁ କେହି ଜଣେ କଣ ଯୋଗ୍ୟ ନାହାନ୍ତି ବୋଲି କଟାକ୍ଷ କରିଛି ବିଜେଡି। ବର୍ଷେ ହେବ ସାମ୍ବିଧାନିକ ପଦବୀ , ୬ଟି ମନ୍ତ୍ରୀପଦ ଓ ନଗମ ବଣ୍ଟନ କରିପାରୁନି ଶାସକ ବିଜେପି। ଏହାକୁ ନେଇ ବିରୋଧୀଙ୍କ କଟାକ୍ଷର ଶିକାର ହେଉଛନ୍ତି ସରକାର।