ମମିତା ମାନିନଥିଲେ ଗୋବିନ୍ଦଙ୍କ କଥା, ଏଣୁ ତଣ୍ଟି ଚିପି ମାରିଦେଇଥିଲେ

1 min read

ଧର୍ମଗଡ଼: ମମିତା ମେହେରଙ୍କୁ କେମିତି କରାଯାଇଥିଲା ହତ୍ୟା । କ୍ରାଇମ୍ ସ୍ପଟରେ ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପିଙ୍କ ଉପସ୍ଥିତିରେ କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ କରାଯାଇଛି। ଭୋର ୪ଟା ୧୫ ମିନିଟ ସମୟରେ କ୍ରାଇମସ୍ପଟକୁ ନେଇ ସିନ୍‌ ରିକ୍ରିଏସନ କରିଛି ପୋଲିସ । ସାଇଣ୍ଟିଫିକ ଟିମ, ଟେକନିକାଲ ଟିମ, ଭିଡ଼ିଓ ଗ୍ରାଫି ଟିମ ସହ ପୋଲିସର କଡାସୁରକ୍ଷା ବ୍ୟବସ୍ଥା ଭିତରେ ସିନ୍‌ ରିକ୍ରିଏସନ କରାଯାଇଛି । ଡେମୋ ବେଳେ ଗୋବିନ୍ଦ ଘଟଣା ଦିନର ସବୁ ସତ ବଖାଣିଛି ପୋଲିସ ଆଗରେ । ଇଜ୍ଜତ ଚାଲିଯିବା ଭୟରେ ମମିତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ଗୋବିନ୍ଦ । ସିନ୍‌ ରିକ୍ରିଏସନ ସମୟରେ DIGଙ୍କ ଆଗରେ କହିଛି ଗୋବିନ୍ଦ । ଘଟଣା ନେଇ ଅନୁତପ୍ତ ହେବା ସହ ଗୋବିନ୍ଦ କହିଛି, ସବୁ ସପ୍ନ ବୃଥା ହୋଇଯାଇଛି, ଦୀର୍ଘ ଦିନ ଧରି କଠିନ ପରିଶ୍ରମ କରି ସ୍କୁଲ ଖୋଲିଥିଲି । ଗୋଟିଏ ଭୁଲ ନିଷ୍ପତ୍ତିରେ ସବୁ ଛାରଖାର ହୋଇଯାଇଛି ।

ମମିତାକୁ ଭବାନୀପାଟନା ସହରକୁ ନେଇ ନୂଆ ଡ୍ରେସ୍‌ କିଣିଦେଇଥିଲା ଗୋବିନ୍ଦ । ଫେରିଲା ବେଳେ ଗାଡି ଭିତରେ ତାର ଅନୈତିକ ଭିଡିଓ ବାହାରେ ପ୍ରଘଟ ନକରିବା ପାଇଁ ଅନୁରୋଧ କରିଥିଲା । ମମିତା ମଧ୍ୟ ଗୋବିନ୍ଦର ଅନୁରୋଧକୁ ମାନିଯାଇଥିଲେ ହେଲେ, ଗୋବିନ୍ଦ ମମିତାକୁ ବିଶ୍ୱାସକୁ ନେଇନଥିଲା । ମାଣିକେଶ୍ୱରୀ ମନ୍ଦିର ନେଇ ଶପଥ ପାଠ କରିବାକୁ କହିଥିଲା, ସେଥିରେ ମମିତା ରାଜି ହୋଇନଥିଲେ । ବାରମ୍ବାର ଅନୁରୋଧ ପରେ ବି ମମିତା ମନ୍ଦିରରେ ଶପଥ ପାଠ କରିବାକୁ ରାଜିନହେବାରୁ ମମିତାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଗୋବିନ୍ଦ । ରାସ୍ତାରେ ସୁଯୋଗ ଦେଖି ତଣ୍ଟି ଚିପି ହତ୍ୟା କରିଥିଲା ବୋଲି, ଡେମୋ ସମୟରେ କହିଛି ଗୋବିନ୍ଦ । ସହଯୋଗୀ ରଧେଶ୍ୟାମ ଚଣ୍ଡୀ କିପରି ସହଯୋଗ କରିଥିଲେ ତାହା ମଧ୍ୟ ବଖାଣିଛି ଅଭିଯୁକ୍ତ । ପରେ ମହାଲିଙ୍ଗରୁ ହତ୍ୟାକାଣ୍ଡ ଘଟିଥିବା ସ୍ଥାନ କୁଡସୁଡକୁ ନେଇଥିଲା ପୋଲିସ । ସେଠାରେ କିପରି ମମିତାର ମୃତଦେହକୁ କାରରେ ନେଇ ଘର ପଛପଟେ ଲୁଚାଇଥିଲା ଓ ସନ୍ଧ୍ୟା ପରେ ଗାତରେ ନିଆଁ ଲଗାଇ ପୋଡ଼ି ଦେଇଥିଲା ସେ ସବୁ ବଖାଣିଛି ଅଭିଯୁକ୍ତ । ୫ ଦିନିଆ ରିମାଣ୍ଡରେ ଥିବା ଗୋବିନ୍ଦ ପୋଲିସ ଆଗରେ ପୁରା ଘଟଣାର ଗୋଟିଏ ପରେ ଗୋଟିଏ ରାଜ୍‌ ଖୋଲୁଛି। ଆଜି ତୃତୀୟ ଦିନରେ ବି ଗୋବିନ୍ଦକୁ ମାରାଥନ ଜେରା କରୁଛି ପୋଲିସ । ସେପଟେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ବଲାଙ୍ଗୀର ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

Leave a Reply