ନନ୍ଦିଘୋଷ ବ୍ୟୁରୋ : ସରକାରୀ ହସ୍ପିଟାଲରେ ଅବାଧ ପ୍ରବେଶ କରୁଛନ୍ତି ବେସରକାରୀ ଔଷଧ କମ୍ପାନୀ ଏମଆର । ଓପିଡି ଚାଲିଥିବା ବେଳେ ବି ମାନୁନାହାନ୍ତି ନିୟମ । ଡାକ୍ତର କି କର୍ତ୍ତୃପକ୍ଷ କେହି କରୁନାହାନ୍ତି ବାରଣ । ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଡାକ୍ତରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରୁଥିବାରୁ ରୋଗୀମାନେ ଅପେକ୍ଷା କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି । ଓପିଡିରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କ ଭିଡ଼ ରହୁଥିବା ବେଳେ ଏମଆରମାନେ ଡାକ୍ତରଙ୍କୁ ଭେଟିବା ଯୋଗୁଁ ରୋଗୀଙ୍କୁ ମିଳୁଥିବା ସମୟ କମିଯାଉଛି । କେତେକ ସ୍ଥାନରେ ରୋଗୀଙ୍କ ତୁଳନାରେ ଏମଆରମାନଙ୍କୁ ଅଧିକ ସମୟ ଦିଆଯାଉଛି । ଫଳରେ ରୋଗୀସେବା ପ୍ରଭାବିତ ହେବା ସହ ଅନେକ ରୋଗୀ ଦୀର୍ଘ ସମୟ ଧରି ଡାକ୍ତରଙ୍କୁ ଦେଖାଇବା ପାଇଁ ଅପେକ୍ଷା କରୁଛନ୍ତି।…
ମେଡିକାଲ ପରିସରରେ ପ୍ରବେଶ ଓ ବିଭିନ୍ନ ବିଭାଗକୁ ଯାତାୟାତ ଉପରେ ନିୟମ ଥିବା ସତ୍ତ୍ୱେ ଏମଆରମାନେ କିପରି ଓପିଡି ସମୟରେ ବିଭାଗରୁ ବିଭାଗ ବୁଲୁଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି । ଏଥିରେ କେତେକ ସୁରକ୍ଷାକର୍ମୀ ଓ ବିଭାଗୀୟ ଅଧିକାରୀଙ୍କ ପ୍ରଶ୍ରୟ ରହିଥିବା ମଧ୍ୟ ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ଓପିଡି ସମୟରେ ଏମଆରଙ୍କ ପ୍ରବେଶ ଉପରେ କଡ଼ା କଟକଣା ଲଗାଇବା ସହ ରୋଗୀସେବାକୁ ପ୍ରାଥମିକତା ଦେବାକୁ ଦାବି ହୋଇଛି । ଏହି ଘଟଣା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ ଅବଗତ ଥିଲେ ମଧ୍ୟ କାହିଁକି କୌଣସି ପଦକ୍ଷେପ ନିଆଯାଉନାହିଁ ? ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ରୋଗୀସେବା ସମୟରେ ଏମଆରଙ୍କ ପ୍ରବେଶକୁ ନିୟନ୍ତ୍ରଣ କରି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବ କି ନାହିଁ, ଏବେ ତାହା ଉପରେ ନଜର।…

