ସରକାରୀ ଗାଡ଼ିର ବ୍ଯାପକ ଅପବ୍ଯବହାର: ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ହେଲେ ଲାଗୁଛି ବ୍ଯକ୍ତିଗତ କାମରେ
ଭୁବନେଶ୍ବର: ସରକାର କା ମାଲ୍ ଦରିଆମେ ଡାଲ୍ । ସରକାରୀ ବାବୁଙ୍କୁ ଦିଆଯାଇଥିବା ଗାଡ଼ି ବ୍ଯବହାର କରୁଛନ୍ତି ପରିବାର ଲୋକ । ସରକାର ନିୟମର ହେଉଛି ବ୍ଯାପକ ଉଲ୍ଲଂଘନ । କେବଳ ରାଜଧାନୀ ଭିତରେ ନୁହେଁ, ଦୂରଦୂରାନ୍ତରୁ ବି ବେଫିକର ଆସୁଛନ୍ତି ବାବୁ । ରାଜକୋଷରୁ ଅର୍ଥ ଅପବ୍ୟୟ ହେଉଥିବାବେଳେ ଆଦର୍ଶରୁ ବିଚ୍ଯୁତ ହେଉଛନ୍ତି ସରକାରୀ ଅଧିକାରୀ ।
ଭୁବନେଶ୍ବରର ଏକ ସପିଂ ମଲ ଆଗରେ ସରକାରୀ ଗାଡିର ଲମ୍ବା ଲାଇନ୍ ଲାଗିଛି । ଆଉ ମଲ ଭିତରକୁ ଯାଇଛନ୍ତି ସରକାରୀ ବାବୁ ଓ ତାଙ୍କ ପରିବାର ଲୋକେ । ଇଏ କେବଳ ରାଜଧାନୀ ଭୁବନେଶ୍ବରର ନୁହେଁ, ସବୁଆଡେ ଏକା ଅବସ୍ଥା । ଅଧିକାରୀମାନଙ୍କ ଯାତାୟାତ ବାବଦକୁ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଗାଡି ବ୍ୟବହାର ହେଉଛି ବ୍ଯକ୍ତିଗତ କାମରେ । ଏହି ମଲ ଆଗରେ ଲାଗିଥିବା ଗାଡି କେବଳ ରାଜଧାନୀରେ ଚାକିରି କରିଥିବା ସରକାରୀ ବାବୁଙ୍କର ନୁହେଁ । ଶନିବାର ଓ ରବିବାର ଛୁଟି ଦୃଷ୍ଟିରୁ ବ୍ରହ୍ମପୁର, ପୁରୀ ତଥା ଅନ୍ଯ ଦୂର ଅଞ୍ଚଳରୁ ବି ଆସିଛି ସରକାରୀ ଗାଡ଼ି ।
ଓଡିଶା ଟ୍ରାଭେଲିଂ ଆଲାଉନ୍ସ ରୁଲ୍ସ ଅନୁଯାୟୀ କେଉଁ ପାହ୍ଯାର ଅଧିକାରୀ ସରକାରୀ ଗାଡିର କିଭଳି ବ୍ଯବହାର କରିବେ ସେନେଇ ନିର୍ଦ୍ଦେଶାବଳୀ ରହିଛି । ଜଣେ ଅଧିକାରୀ ଗାଡି ବ୍ଯବହାର କରିବା ପୂର୍ବରୁ ସମ୍ପୃକ୍ତ ଗାଡିର ଅଫିସର ଇନଚାର୍ଜଙ୍କଠାରୁ ଅନୁମତି ନେବେ । ଯଦି ଅଧିକ ବ୍ଯବହାର କରନ୍ତି ତେବେ ତାଙ୍କୁ ଭଡା ପଇଠ କରିବାକୁ ପଡିବ । ମନୋରଞ୍ଜନ ପାର୍ଟି, ପ୍ଲେଜର ଟ୍ରିପ କିମ୍ବା କୌଣସି ବିବାହ ଉତ୍ସବରେ ସରକାରୀ ଗାଡିର ବ୍ଯବହାରକୁ ସ୍ପଷ୍ଟ ବାରଣ କରାଯାଇଛି । ଯଦି ଏଥିରେ ଉଲ୍ଲଘଂନ କରାଯାଏ ବିଭାଗୀୟ କାର୍ଯ୍ଯାନୁଷ୍ଠାନ, କ୍ଷତିଭରଣା, ପଦୋନ୍ନତି ରୋକିବା ପରି ନିୟମ ରହିଛି । ହେଲେ ସବୁ ନିୟମକୁ କରାଯାଉଛି ଫୁ ।
ସରକାରୀ ଅଧିକାରୀ ସାଧୁତା ଓ କର୍ତ୍ତବ୍ଯ ପରାୟଣତା କ୍ଷେତ୍ରରେ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ହେବା ବଦଳରେ ଆଇନକୁ ଖୋଲାଖୋଲି କରୁଛନ୍ତି ଉଲ୍ଲଂଘନ ।