ଓଲା-ଉବେରକୁ ସରକାରଙ୍କ ଚେତାବନୀ

1 min read
Government Slaps OLA Uber And Cab Aggregators With Notices

ନୂଆଦିଲ୍ଲୀ: ଓଲା-ଉବେରକୁ ନେଇ କଠୋର ହେଲେ ସରକାର । କ୍ୟାବ୍ ବୁକ୍ କରୁଥିବା ଗ୍ରାହକଙ୍କ ଅଭିଯୋଗକୁ ନେଇ ସରକାର ୨ କମ୍ପାନୀକୁ ନୋଟିସ୍ ଜାରି କରିଛନ୍ତି । ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି । ଅଭିଯୋଗ ଅନୁସାରେ, କ୍ୟାବ୍ ବୁକ୍ କରୁଥିବା ଅଧିକାଂଶ ଗ୍ରାହକଙ୍କୁ ଡ୍ରାଇଭର ଖରାପ ବ୍ୟବହାର କରୁଛନ୍ତି । ବାରମ୍ବାର ବୁକିଂ ରିକ୍ୱେଣ୍ଟ ବାତିଲ୍ କରୁଛନ୍ତି । ଏପରିକି ଟ୍ରାଭେଲ୍ ବେଳେ ଏସି ଚଲାଉ ନଥିବା ଅଭିଯୋଗ ହୋଇଥିଲା ।

Government Slaps OLA Uber And Cab Aggregators With Notices

ଏନେଇ CCPA ପକ୍ଷରୁ ଓଲା ଓ ଉବେରକୁ ନୋଟିସ୍ ଜାରି କରାଯାଇଛି । ଉଭୟ କମ୍ପାନୀଙ୍କୁ ବ୍ୟବସାୟର ଅନୁଚିତ୍ ତରିକା ଓ ଗ୍ରାହକଙ୍କ ଅଧିକାର ଉଲ୍ଲଂଘନ ନେଇ ନୋଟିସ୍ ହୋଇଛି । ଏଥିସହ ଗ୍ରାହକଙ୍କ ଅଭିଯୋଗର ସମାଧାନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା, ବୁକିଂ ବାତିଲ୍ ପରେ କ୍ଯାନସଲେସନ୍ ଚାର୍ଜ ନିର୍ଦ୍ଧାରଣ ନେଇ କୌଣସି ନିର୍ଦ୍ଦିଷ୍ଟ ନୀତି ନଥିବା ଅଭିଯୋଗ ହୋଇଛି ।

ଏହା ପୂର୍ବରୁ CCPA ମେ ୧୦ରେ ବିଭିନ୍ନ କମ୍ପାନୀଙ୍କୁ ନେଇ ବୈଠକ କରିଥିଲା । ଯେଉଁଥିରେ ସରକାର ଅଚାନକ ଭଡ଼ା ବୃଦ୍ଧି, ଏସି ଚାଲୁ କରିବାକୁ ଡ୍ରାଇଭର ମନା କରିବା, ବୁକିଂ ବାତିଲ୍ ଓ ନଗଦ ଟଙ୍କା ମାଗିବା ଅଭିଯୋଗ ଉପରେ ଆଲୋଚନା ହୋଇଥିଲା । ସମସ୍ତ ସେବାରେ ସୁଧାର ଆଣିବା ଲାଗି ସରକାର ରୋକଠୋକ୍ ଶୁଣାଇଥିଲେ । ନଚେତ୍ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା ।