ଶିକ୍ଷାନୀତିରେ କେନ୍ଦ୍ର ସରକାରଙ୍କ ବଡ ପରିବର୍ତ୍ତନ : ୫ମ ଓ ୮ମରେ ଫେଲ୍ ହେଲେ ଉପର ଶ୍ରେଣୀକୁ ପ୍ରମୋସନ ନାହିଁ
ନୂଆଦିଲ୍ଲୀ : ଶିକ୍ଷାନୀତିରେ କେନ୍ଦ୍ର ସରକାର ଆଣିଲେ ବଡ ପରିବର୍ତ୍ତନ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଯେଉଁ ପିଲା ଫେଲ ହେବେ ସେମାନେ ସେହି ଶ୍ରେଣୀରେ ହିଁ ରହିବେ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର। ସେ କହିଛନ୍ତି ଯେଉଁ ପିଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେବେ ସେମାନଙ୍କୁ ୨ ମାସ ମଧ୍ଯରେ ପୁନଃପରୀକ୍ଷା ଲାଗି ସୁଯୋଗ ଦିଆଯିବ। ଯଦି ସେମାନେ ତଥାପି ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ ସେମାନଙ୍କୁ ଉପର ଶ୍ରେଣୀକୁ ପ୍ରମୋସନ ଦିଆଯାଇପାରିବ ନାହିଁ।
ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ବିଦ୍ଯାଳୟ ପିଲାଙ୍କୁ ବହିଷ୍କାର କରିପାରିବେ ନାହିଁ। ପିଲାଙ୍କ ମଧ୍ଯରେ ଶିକ୍ଷଣୀୟତାକୁ ଉନ୍ନତ କରିବା ଲାଗି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦେଶର ୩ ହଜାର କେନ୍ଦ୍ରୀୟ ବିଦ୍ୟାଳୟ ଲାଗି ପ୍ରଯୁଜ୍ଯ ହେବ। ତନ୍ମଧ୍ଯରେ ରହିଛି କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ସୈନିକ ସ୍କୁଲ । ନୂଆ ନିୟମ ଅନୁସାରେ ଛାତ୍ରଛାତ୍ରୀ ଯଦି ପୁନଃପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ନାହିଁ ତେବେ ସେମାନେ ସେହି ଶ୍ରେଣୀରେ ରହିବେ। ୨୦୧୮ ଜୁଲାଇରେ ଶିକ୍ଷା ଅଧିକାରୀ ଆଇନକୁ ସଂଶୋଧନ କରିବା ଲାଗି ଲୋକସଭାରେ ଏକ ବିଲ୍ ଗୃହୀତ ହୋଇଥିଲା।
ପରେ ୨୦୧୯ରେ ରାଜ୍ଯସଭାରେ ଶିଶୁଙ୍କୁ ମାଗଣା ଓ ବାଧ୍ଯତାମୂଳକ ଶିକ୍ଷା ସଂଶୋଧନ ବିଲ୍ ଗୃହୀତ ହୋଇଥିଲା। ଫଳରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ ପିଲାଙ୍କୁ ଉତ୍ତୀର୍ଣ୍ଣ କରିବା ଲାଗି ଯେଉଁ ବ୍ଯବସ୍ଥା ଥିଲା ତାହାର ଅନ୍ତ ଘଟିଥିଲା। ଏକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଥିବା ଶିକ୍ଷାଜନିତ ଦୁର୍ବଳତାକୁ ଦୂର କରିବାରେ ଶିକ୍ଷକମାନେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୬ଟି ରାଜ୍ଯ, ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀ ଏହି ନିୟମ ପାଳନ କରିସାରିଛନ୍ତି।