୪ରୁ ୫ଟି ପର୍ଯ୍ୟାୟରେ ଅନଲକ ହୋଇପାରେ କର୍ଣ୍ଣାଟକ !

1 min read

ବାଙ୍ଗାଲୁରୁ: କର୍ଣ୍ଣାଟକରେ ଜୁନ୍ ୧୪ ପରେ ପର୍ଯ୍ୟାୟ କ୍ରମେ ଖୋଲିବ ଲକଡାଉନ । ଏନେଇ କର୍ଣ୍ଣାଟକର ରାଜସ୍ୱ ମନ୍ତ୍ରୀ ଆର ଅଶୋକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଜୁନ୍ ୧୪ ପରେ ରାଜ୍ୟରେ ୪ ରୁ ୫ ପର୍ଯ୍ୟାୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ । ଅଶୋକ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟା ଏବଂ କରୋନାର ନୂଆ ମାମଲାକୁ ଦୃଷ୍ଟିରେ ରଖି ଏବଂ କୋଭିଡ ସଂକ୍ରମଣକୁ ଆହୁରି ହ୍ରାସ କରିବା ଲକ୍ଷ୍ୟରେ ଲକଡାଉନକୁ ସଙ୍ଗେ ସଙ୍ଗେ କୋହଳ କରାଯିବ ନାହିଁ ।

ଏନେଇ ଗୃହମନ୍ତ୍ରୀ ବାସବରାଜ ବୋମ୍ମଇ, ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରାଯାଇଥିବା ମନ୍ତ୍ରୀ ଅଶୋକ କହିଛନ୍ତି । ଏହାସହ ପରିସ୍ଥିତିକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଲକଡାଉନରେ କୋହଳ କରାଯିବ । ଏବଂ ଚାରିରୁ ପାଞ୍ଚଟି ପର୍ଯ୍ୟାୟରେ ଅନଲକ କରିଯିବା ନେଇ ଦୃଷ୍ଟି ଦିଆଯିବ । ଯଦିଓ ଏନେଇ ଶେଷ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କର ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି ।

ଜୁନ୍ ୧୧ କିମ୍ବା ୧୨ ରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରନ୍ତି । ରାଜ୍ୟରେ ବୈଷୟିକ ପରାମର୍ଶଦାତା କମିଟି (TAC) ମଧ୍ୟ ପର୍ଯ୍ୟାୟକ୍ରମେ ରାଜ୍ୟରେ ଅନଲକ୍ କାର୍ଯ୍ୟକଳାପ ଆରମ୍ଭ କରିବାକୁ ସୁପାରିଶ କରିଛି। ସେହିପରି ରାଜ୍ୟରେ ସଂକ୍ରମଣ ହାର ଯଦିଓ ୫ ପ୍ରତିଶତ କମିଛି ତଥାପି ଦୈନିକ ସଂକ୍ରମଣ ୫୦୦୦ ମଧ୍ୟରେ ରହିଲେ ହିଁ ଅନଲକ୍ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ସୁପାରିଶ କରାଯାଇଛି ।

ରାଜସ୍ୱ ମନ୍ତ୍ରୀ ତଥା କର୍ଣ୍ଣାଟକର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଉପାଧ୍ୟକ୍ଷ ଅଶୋକ କହିଛନ୍ତି, ‘ବାଙ୍ଗାଲୋରରେ ଦୈନିକ ପ୍ରାୟ ଦୁଇ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହି ସଂକ୍ରମଣକୁ ୫୦୦ ମଧ୍ୟରେ ସୀମିତ ରଖିବାକୁ ପଡ଼ିବ । ଯେତେବେଳେ ଆମେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବୁ, ସଂକ୍ରମଣ କିଭଳି ନ ବୃଦ୍ଧି ପାଉ ସେନେଇ ଯତ୍ନବାନ ମଧ୍ୟ ହେବାକୁ ପଡିବ ।

ତେବେ ଯଦି ଅନଲକ ପ୍ରକ୍ରିୟା ଆରମ୍ଭ ହୁଏ ତେବେ ସରକାର ଅଟୋ ଏବଂ କ୍ୟାବକୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବାକୁ ଅନୁମତି ଦେଇପାରନ୍ତି ଏବଂ ଘରୋଇ କାର୍ଯ୍ୟାଳୟଗୁଡ଼ିକୁ ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବାକୁ ଅନୁମତି ଦେଇପାରନ୍ତି। ତେବେ ସାଧାରଣ ପରିବହନ ଏବଂ ଆନ୍ତଃ- ଜିଲ୍ଲା ପରିବହନ ନେଇ କିଛି ପ୍ରତିବନ୍ଧକ ରଖାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି ।

ଅନ୍ୟପକ୍ଷରେ ମଙ୍ଗଳବାର କର୍ଣ୍ଣାଟକରେ କୋଭିଡ -19 ର ୧୦ହଜାର ନୂଆ ମାମଲା ରୁଜୁ ହୋଇଥିବା ବେଳେ ୧୭୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହା ସହିତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୭,୧୭,୨୮୯କୁ ବୃଦ୍ଧି ପାଇଛି । ଏବଂ ମୃତକଙ୍କ ସଂଖ୍ୟା ୩୨,୦୦୯ କୁ ବୃଦ୍ଧି ପାଇଛି ।

Leave a Reply