ବିଦା ହେବେ ଅପାରଗ ସରକାରୀ ଅଧିକାରୀ ଓ କର୍ମଚାରୀ

ଭୁବନେଶ୍ବର: କାମରେ ଠକୁ ଥିବା ସରକାରୀ ଅଧିକାରୀ ଓ କର୍ମଚାରୀ ହେବେ ବିଦା । କାର୍ଯ୍ୟରେ ଅବହେଳା ସହ ସଚ୍ଚୋଟତାର ଅଭାବ ଥିବା ଅପାରଗ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ପ୍ରକୃତ ଅବସର ତାରିଖ ପୂର୍ବରୁ ଚାକିରିରୁ ହେବେ ବହିଷ୍କୃତ । ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସର୍କୁଲାରକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।
ଏ ସମ୍ପର୍କିତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ସର୍କୁଲାରରେ ଦର୍ଶାଯାଇଥିବା ନିୟମଗୁଡ଼ିକୁ ଅନେକ ବିଭାଗ ସମ୍ପୂର୍ଣ୍ଣ ଭାବେ ପାଳନ କରୁ ନଥିବା ନଜରକୁ ଆସିଛି । ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି, ତାହା ଫଳପ୍ରଦ ହେଉନାହିଁ । ସଚ୍ଚୋଟତା ଓ ଦକ୍ଷତାର ମାନରେ ସ୍ପଷ୍ଟ ଅଭାବ ଥିବା ଅଧିକାରୀ ଓ କର୍ମଚାରୀମାନେ ସରକାରୀ ଚାକିରିରେ ରହିଛନ୍ତି । ଏହା କେବଳ ବ୍ୟବସ୍ଥାରେ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁ ନାହିଁ ବରଂ ଜନସ୍ୱାର୍ଥ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି । ତେଣୁ କାର୍ଯ୍ୟରେ ସନ୍ଦେହଜନକ ସଚ୍ଚୋଟତା ଓ ଅପାରଗତା ଥିବା ବ୍ୟକ୍ତିମାନଙ୍କୁ ସରକାରୀ ସେବାରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସରକାରୀ କାର୍ଯ୍ୟାଳୟଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଲାଗି ଜିଏ ଓ ପିଜି ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମିତ ସମୀକ୍ଷା ବୈଠକ ଆୟୋଜନ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ନିଜ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଏ ସମ୍ପର୍କରେ ନିର୍ଦ୍ଧାରିତ ସମୟରେ ସମୀକ୍ଷା ବୈଠକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଅପାରଗ କିଏ ସ୍ପଷ୍ଟ କର: ବିଜେଡି
ସେପଟେ ସରକାରଙ୍କ ଏହି ନିର୍ଦ୍ଦେଶାବଳୀକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ । ସରକାର ଆଗ ବାଛନ୍ତୁ ଅପାରଗ ଅଫିସର କିଏ ବୋଲି କହିଛନ୍ତି ବିଜେଡି ବିଧାୟକ ଶାରଦା ଜେନା । ସେ କହିଛନ୍ତି, ସେହି ଆଳରେ ଭଲ ଅଫିସରଙ୍କୁ କାଢ଼ିବାକୁ ଚେଷ୍ଟା କରାଯାଉଛି । ଭିଜିଲାନ୍ସ ରେଡ କରିବାକୁ ଯାଉଛି । ବହୁତ ସଂଖ୍ୟାରେ ଟଙ୍କା ମିଳୁଛି । ଏ କାହା ପଇସା ? ଏହି ସରକାର ସମୟର ଟଙ୍କା । କ’ଣ ଆକ୍ସନ ନିଆଯାଇଛି ବୋଲି ପଚାରିଛନ୍ତି ସାରଦା ।
ଦୁର୍ନୀତି କଲେ ବରଖାସ୍ତ କରାଯାଉ: କଂଗ୍ରେସ
ସରକାରୀ ଅଫିସରେ ଏତେ ଦୁର୍ନୀତି ହେଲାଣି ଯେ ୯ ମାସରେ ଏହାକୁ ବନ୍ଦ କରି ପାରିନାହାନ୍ତି ସରକାର । ସମସ୍ତେ ଦୁର୍ନୀତିରେ ଲିପ୍ତ ଥିବାରୁ ଲୋକଙ୍କ କାମ ହୋଇପାରୁନି । ଏଥିଲାଗି ଗାଇଡଲାଇନ ତିଆରି ହେଉ । ଭିଜିଲାନ୍ସକୁ ଅଧିକ ଅଧିକାରୀ ଦିଆଯାଉ । ଦୁର୍ନୀତି କଲେ ବରଖାସ୍ତ କରାଯାଉ । ତା’ହେଲେ ଭୟ ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେପଟେ ବିଜେପି ସରକାରକୁ ଆସି ଦୁର୍ନୀତି ବିରୋଧରେ କାମ କରୁଛି ବୋଲି କହିଛନ୍ତି ବିଜେପି ବିଧାୟକ ।