ସରାକରୀ ବାବୁଙ୍କ କବଜାରେ ସରକାରୀ ଜମି: ଘର କରି ଲଗାଉଛନ୍ତି ଭଡ଼ାରେ
1 min read![](https://nandighoshatv.com/wp-content/uploads/2025/02/nabarangpur-1024x576.jpg)
ନବରଙ୍ଗପୁର: ସରକାରୀ ଜମିରେ ଘର କରି ଭଡାରେ ଦେଉଛନ୍ତି ସରକାରୀ କର୍ମଚାରୀ । ଏଭଳି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗା ତହସିଲରେ । ଜିଲ୍ଲାପାଳଙ୍କ ଉଚ୍ଛେଦ ନିର୍ଦ୍ଦେଶ ପରେ ମଧ୍ୟ, ବିଭାଗୀୟ ଅଧିକାରୀ ଉଚ୍ଛେଦ କରୁନାହାଁନ୍ତି । ଗରିବ ଲୋକଟି ସରକାରୀ ଜମିରେ ଘର କରି ରହିଲେ, ତହସିଲଦାର ନାଲି ଆଖି ଦେଖାଉଛନ୍ତି । ଜେସିବି ଲଗାଇ ଘର ଭାଙ୍ଗି ଦେଉଛନ୍ତି । ହେଲେ ସରକାରୀ ଅଧିକାରୀ ବଡ ବଡ କୋଠା କରି ଭଡା ଦେଲେ କାର୍ଯ୍ୟାନୁଷ୍ଠାନ ଶୂନ । ଜିଲ୍ଲା ପ୍ରଶାସନର ଦୁଇଟି ଭିନ୍ନ ଆଇନକୁ ନେଇ ସାଧାରଣରେ ଉଠିବାରେ ଲାଗିଛି ପ୍ରଶ୍ନ ।
ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକକୁ ଲାଗି ରହିଛି ଶହ ଶହ ଏକର ସରକାରୀ ଜମି । ସେହି ସ୍ଥାନରେ ରହିଛି ବ୍ଲକ ଅଫିସ, ବ୍ଲକ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍ସ, ପୁରାତନ ମନ୍ଦିର, ବିଦ୍ୟାଳୟ, ବ୍ୟାଙ୍କ, ସମବାୟ ସମିତି, ପୋଲିସ ଷ୍ଟେସନ । ଏହା ବ୍ୟତୀତ ଅନ୍ୟାନ୍ୟ ସରକାରୀ ବିଭାଗ ଅଫିସ ମଧ୍ଯ ରହିଛି l ଏସବୁକୁ ଛାଡି ଦେଲେ ବାକି ସରକାରୀ ଜମିକୁ ସରକାରୀ ବାବୁମାନେ ଅବାଧରେ କବଜା କରିନେଇଛନ୍ତି । ସେଠାରେ ବଡବଡ ଘର ନିର୍ମାଣ କରି ନିଜେ ରହିବା ସାଙ୍ଗକୁ ଘର ଭଡା ଦେଉଥିବା ନେଇ ଅଭିଯୋଗ ହୋଇଛି ।
ପ୍ରଶ୍ନ ଉଠୁଛି, କେଉଁ ଭଳି ଭାବେ ସରକାରୀ ବାବୁମାନେ ଜମି ଜବରଦଖଲ କଲେ ? ଘର ନିର୍ମାଣ କଲା ପରେ କେହି ଜାଣିପାରିଲେ ନାହିଁ କେମିତି ? କ’ଣ କରୁଥିଲେ ରାଜସ୍ଵ ବିଭାଗ ଅଧିକାରୀ ? ନା ଏହା ପଛରେ ରହିଛି ପ୍ରଶାସନର ମଧୁଚନ୍ଦ୍ରିକା । ଉଚ୍ଛେଦ ନକରିବା ପଛରେ ପ୍ରଶାସନିକ ଅବହେଳା ନା, ହାତଗୁଞ୍ଜାରେ ସନ୍ତୁଷ୍ଟ କର୍ମଚାରୀ । ଯାହାର ତଦନ୍ତ ନିମନ୍ତେ ଦାବି ଜୋର ଧରିଛି । ସବୁଠୁ ବଡ କଥା ହେଲା ସରକାରଙ୍କ ପକ୍ଷରୁ ୨୦୨୪ ମସିହା ଜୁଲାଇ ୬ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ଜବରଦଖଲ ଉଚ୍ଛେଦ ପାଇଁ ଚିଠି ହୋଇଥିଲା । କିନ୍ତୁ ନବରଙ୍ଗପୁରରେ ତାହା ବର୍ତ୍ତମାନ ସୁଦ୍ଧା ଉଚ୍ଛେଦ ହୋଇନାହିଁ ।
ଜାଗା ଜବରଦଖଲକୁ ନେଇ ସ୍ଥାନୀୟ ଲୋକେ ଲିଖିତ ଆକାରରେ ସ୍ଥାନୀୟ ତହସିଲଦାରଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ଯ ସେ ଏହାପ୍ରତି ଦୃଷ୍ଟି ଦେଇନାହିଁନ୍ତି । ଏ ସମ୍ପର୍କରେ ଡାବୁଗାଁ ବିଧାୟକ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ଏପଟେ ନବରଙ୍ଗପୁର ସାଂସଦ ରାଜସ୍ଵ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଅନ୍ଯପଟେ କୋଡିଙ୍ଗା ତହସିଲଦାର ଜମି ଜବରଦଖଲ ହୋଇଥିବା ନେଇ ସ୍ଵୀକାର କରିବା ସହ ୬୦ ଜଣଙ୍କୁ ନୋଟିସ କରାଯାଇଥିବା କହିଛନ୍ତି । ସରକାରୀ ବାବୁମାନଙ୍କ ଘରେ କେବେ ବୁଲଡୋଜର ବୁଲିବ ? ସେମାନଙ୍କ ବିରୋଧରେ କେବେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।