ଖାଉଟିଙ୍କୁ ଅତିଷ୍ଠ କଲାଣି ଦରଦାମ, ନିୟନ୍ତ୍ରଣ ପାଇଁ ସରକାର କ’ଣ ନେଉଛନ୍ତି ପଦକ୍ଷେପ ?

ଭୁବନେଶ୍ବର: ନା ଦରଦାମ ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛନ୍ତି ନା କିଛି ପଦକ୍ଷେପ ନେଉଛନ୍ତି । ରାଜ୍ୟର ନୂଆ ସରକାରଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ, ବିଭିନ୍ନ ସଂଗଠନ ଓ ବ୍ୟବସାୟୀ । ବଢ଼ି ଚାଲିଛି ଦରଦାମ, ଅତିଷ୍ଠ ହେଲେଣି ଖାଉଟି । ଏଭଳି ସ୍ଥିତିରେ ଏବେ ଦିଲ୍ଲୀରେ ଏହି ପ୍ରସଙ୍ଗକୁ ଉଠାଇଛି ରାଜ୍ୟ ବ୍ୟବସାୟୀ ସଂଘ । ଦରଦାମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି । ଓଡ଼ିଶାର ବିଜେପି ସରକାର ଉପରେ କେନ୍ଦ୍ରୀୟ ବ୍ୟବସାୟୀ ସଂଗଠନ ଚାପ ପକାଇବାକୁ କହିଛି ସଂଘ । ସେପଟେ ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଛନ୍ତି ବିଭିନ୍ନ ସଂଗଠନ ।

ନିୟନ୍ତ୍ରଣ ବାହାରକୁ ଗଲାଣି ଦରଦାମ । ବଜାର ଭାଉ ଦେଖି ଅତିଷ୍ଠ ହେଲେଣି ଖାଉଟି । ସ୍ଥିତି ସାଂଘାତିକ, ଶୁଣୁନାହାନ୍ତି ସରକାର । ରାଜ୍ୟରେ ଏବେ ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ପେଶି ଦେଲାଣି । ଖର୍ଚ୍ଚ ବଢୁଛି, ଖାଲି ହେଉଛି ପକେଟ୍। କିନ୍ତୁ ଲୋକଙ୍କ ସମସ୍ୟାକୁ ଖାତିର କରୁନାହାନ୍ତି ସରକାର । ଏଭଳି ଅଚଳାବସ୍ଥାକୁ ନେଇ ଜାତୀୟ ସ୍ତରରେ ପ୍ରସଙ୍ଗ ଉଠାଇଛି ରାଜ୍ୟ ବ୍ୟବସାୟୀ ସଂଘ । ଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରୀୟ ସମ୍ମିଳନୀରେ ଓଡ଼ିଶାର ଦରଦାମ ନିୟନ୍ତ୍ରଣ ସମ୍ପର୍କରେ ହୋଇଛି ବିସ୍ତୃତ ଆଲୋଚନା । ପଶ୍ଚିମବଙ୍ଗ ଆଳୁ ନ ଦେବାଠାରୁ ଆରମ୍ଭ କରି ଆନ୍ତଃରାଜ୍ୟ ଯୋଗାଣ ସମସ୍ୟା ସମ୍ପର୍କରେ ହୋଇଛି ତର୍ଜମା । ଅସ୍ୱାଭାବିକ ଦରଦାମ ବୃଦ୍ଧି ଯୋଗୁଁ କମୁଛି ବ୍ୟବସାୟୀଙ୍କ ବିକ୍ରି ପରିମାଣ । ସ୍ଥିତି ସୁଧାରିବାକୁ ସରକାର ବୈଠକ କରିବେ ବୋଲି କହି ଭୁଲି ଯାଉଛନ୍ତି । ତେଣୁ ଦରଦାମ ନିୟନ୍ତ୍ରଣ କ୍ଷେତ୍ରରେ କେନ୍ଦ୍ରରୁ ଓଡ଼ିଶା ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଉଦ୍ୟମ କରିଛି ବ୍ୟବସାୟୀ ସଂଘ ।

ସେପଟେ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଜନ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛନ୍ତି ବିଭିନ୍ନ ସଂଗଠନ । ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ ପାଇଁ ରେଗୁଲେଟେଡ୍ ମାର୍କେଟ ପଲିସି ଆଣିବାକୁ ଦାବି ହୋଇଛି । ବିଜେପି ସରକାର କ୍ଷମତାକୁ ଆସୁ ଆସୁ ମହଙ୍ଗା ହୋଇଛି ବଜାର । ନୀତିଗତ ନିଷ୍ପତ୍ତି ବଦଳରେ ଦଶହରାରେ ରାଜ୍ୟବାସୀଙ୍କୁ ସରକାର ଭେଟି ଦେଇଛନ୍ତି ଦୁଃଖ ଓ ଦୁର୍ଦ୍ଦଶା । ସେହିପରି ସୁଭଦ୍ରା ଯୋଜନାରେ ୫୦୦୦ ଟଙ୍କା ଦେଇ ଦରଦାମ ବୃଦ୍ଧି ଜରିଆରେ ସରକାର ରାଜକୋଷ ଭରଣା କରିଛନ୍ତି । ତେଣୁ ସୁଭଦ୍ରା ଯୋଜନାର କିଛି ମୂଲ୍ୟ ନାହିଁ ବୋଲି କହିଛି ସିଟିଜେନସ ଫୋରମ ।

ଜାତୀୟ ସ୍ତରୀୟ ବୈଠକରେ ଖାଉଟି ସୁରକ୍ଷା ଆଇନର ପ୍ରଚାର ପ୍ରସାରକୁ ଗୁରୁତ୍ବ ଦେଇଛି ବ୍ୟବସାୟୀ ସଂଘ । ଗ୍ରାହକଙ୍କ ଅଧିକାର ଓ କର୍ତ୍ତବ୍ୟ କ’ଣ ତାହା ଜନତାଙ୍କୁ ଜଣାଉ ନାହାନ୍ତି ସରକାର । ତେଣୁ ପଦକ୍ଷେପ ସ୍ବରୂପ ଲୋକଙ୍କୁ ଏ ବାବଦରେ ସବିଶେଷ ସୂଚନା ଦେବ ସଂଘ ।