୧୦ ଦିନ ଭିତରେ କମିବ ପିଆଜ ଦର, କିଲୋ ପିଛା ରହିବ ୩୦ ଟଙ୍କା ! NAFED କରୁଛି ପ୍ଲାନ୍
1 min readନୂଆଦିଲ୍ଲୀ: ଖୁବ୍ଶୀଘ୍ର ବଜାରକୁ ଆସିବ ଶସ୍ତା ପିଆଜ । ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ଖୁବ୍ ଶୀଘ୍ର ପିଆଜ ଶସ୍ତା ହେବାକୁ ଯାଉଛି । NAFED ପକ୍ଷରୁ ଏଥିପାଇଁ ବିଦ୍ଧିବଦ୍ଧ ଭାବେ ଯୋଜନା କରାଯାଉଛି । NAFEDର ନିର୍ଦ୍ଦେଶକ କହିଛନ୍ତିଯେ, ଆସନ୍ତା ୧୦ ଦିନ ମଧ୍ୟରେ ରାଜସ୍ଥାନରୁ ପିଆଜ ଆସିବ ବୋଲି ଆଶା କରାଯାଉଛି । ଏହାପରେ ପିଆଜ ଦର ଆପେ ହ୍ରାସ ପାଇବ । ଅନ୍ୟପଟେ NAFED ନିଜ ଗୋଦାମରୁ ଅନ୍ୟ ରାଜ୍ୟକୁ ପିଆଜ ପଠାଇବା ଆରମ୍ଭ କରିଛି । ସଫଲ ଷ୍ଟୋରରୁ ମଧ୍ୟ ସୁଲଭ ଦରରେ ପିଆଜ ବିକ୍ରି ହେଉଛି । ନାଫେଡ୍ ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ, ଅନେକ ସ୍ଥାନରେ ପିଆଜ ଫସଲ ନଷ୍ଟ ହେବାରୁ ଏହାର ମୂଲ୍ୟ ବୃଦ୍ଧି ପାଇଛି ।
NAFED ନିର୍ଦ୍ଦେଶକ ଅଶୋକ ଠାକୁର ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଖୁବ୍ଶୀଘ୍ର ରାଜ୍ୟମାନଙ୍କୁ ୨୧ ଟଙ୍କା କିଲୋଗ୍ରାମ ହିସାବରେ ପିଆଜ ଯୋଗାଇ ଦିଆଯିବ । ଏହା ପରେ ପରିବହନ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଯୋଡ଼ି ରାଜ୍ୟମାନେ ଏହାକୁ ବଜାରକୁ ଛାଡ଼ିବେ । ତେବେ ଦିଲ୍ଲୀରେ ସଫଲ ଷ୍ଟୋରରେ ପିଆଜ କିଲୋ ପିଛା ୨୮ ଟଙ୍କା ବିକ୍ରି ହେଉଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, NAFED ଯଦି ରାଜ୍ୟକୁ ୨୧ ଟଙ୍କାରେ ପିଆଜ ଦିଏ ତେବେ ଲୋକଙ୍କ ପାଖରେ ଅତି ବେଶିରେ ପିଆଜ କିଲୋ ପିଛା ୩୦ ଟଙ୍କାରେ ପହଞ୍ଚିବ ।
କେନ୍ଦ୍ର ସରକାରଙ୍କ ପାଖରେ ୨୫ ହଜାର ଟନ୍ ପିଆଜ ଷ୍ଟକ୍
କେନ୍ଦ୍ର ସରକାରଙ୍କ ପାଖରେ ବଫର ଷ୍ଟକ୍ରେ ଏବେ ୨୫ ହଜାର ଟନ୍ର ପିଆଜ ଗଚ୍ଛିତ ହୋଇ ରହିଛି । ଯାହାକି ନଭେମ୍ବର ପ୍ରଥମ ସପ୍ତାହରେ ହିଁ ଶେଷ ହୋଇଯିବାର ସମ୍ଭାବନା ରହିଛି । NAFED ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ କୁମାର ଚଡ୍ଡା ଶୁକ୍ରବାର କହିଛନ୍ତି ଯେ, ବର୍ତ୍ତମାନ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଷ୍ଟକ୍ରୁ ପିଆଜ ଛଡ଼ାଯାଉଛି । କାରଣ କିଛି ଦିନ ପୂର୍ବେ ପିଆଜର ମୂଲ୍ୟ କିଲୋ ପିଛା ୭୫ ଟଙ୍କା ପର୍ଯ୍ୟନ୍ତ ଛୁଇଁଥିଲା । ଏହାକୁ କମ୍ କରିବା ଉଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି ।