ରାଜଧାନୀ ଛାତି ଉପରେ ଖୁଲମଖୁଲା ଚାଲିଛି ସରକାରୀ ଜମି ଜବରଦଖଲ

ଭୁବନେଶ୍ବର: ଦିନ ଦିପହରେ ରାଜଧାନୀରେ ଚାଲିଛି ସରକାରୀ ଜମି ଜବରଦଖଲ । ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଚାଲିଛି ଖୁଲମଖୁଲା କାରବାର । ଜବରଦଖଲ ଉଚ୍ଛେଦ ଜମି ପୁଣି ହେଉଛି ଜବରଦଖଲ । କେବଳ ସେତିକି ନୁହେଁ ଉକ୍ତ ଜମିରେ ବହୁତଳ ପ୍ରାସାଦର ଭିତ୍ତିଭୂମି ବି ପଡୁଛି । ହେଲେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି ।

ତଥ୍ୟ ଅନୁସାରେ, ବର୍ଷ ବର୍ଷ ଧରି ନୟାପଲ୍ଲୀ ବେହେରା ସାହିର ପ୍ଲଟ ନମ୍ବର ୫୨୮ରେ ହୋଇଥିଲା ଜବରଦଖଲ । ୨୦୧୮ରେ ସରକାର ଏହାକୁ ଉଚ୍ଛେଦ କରିଥିଲେ । ବିଏମସି, ବିଡ଼ିଏ ଓ ଜିଏ ବିଭାଗ ମିଳିତ ଭାବେ ଏହାକୁ ଜବରଦଖଲ ମୁକ୍ତ କରି ସରକାରଙ୍କ ସମ୍ପତ୍ତି ବୋଲି ବୋର୍ଡ ମାରିଲେ । ସେତେବେଳେ ଏହି ଖବର ଶିରୋନାମା ପାଲଟିଲା । ହେଲେ ସ୍ଥିତି ଏବେ ପୂର୍ବଠାରୁ ଅଧିକ ଜଟିଳ ।

ନିର୍ବାଚନ ପୂର୍ବରୁ ଏଠାରେ ପୁଣି ଆରମ୍ଭ ହୋଇଥିଲା ଜବରଦଖଲ । ଧୀରେ ଘର ତିଆରି ଚାଲିଲା । ଉକ୍ତ ଜମିର ଖଣ୍ଡେ ଜାଗାରେ ଚାଲିଛି ବହୁତଳ ପ୍ରାସାଦର ମୂଳଦୁଆ । ସରକାରୀ ଜାଗାରେ ଏସବୁ କିପରି ସମ୍ଭବ ହେଉଛି, ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

ନୟାପଲ୍ଲୀ କଲ୍ୟାଣ କମିଟି ଏପରି ଜବରଦଖଲକୁ ଘୋର ବିରୋଧ କରିଛି । ବିଏମସି, ବିଡିଏ, ଜିଲ୍ଲାପାଳ, ବିଭାଗୀୟ ମନ୍ତ୍ରୀ ସବୁଠି ଅଭିଯୋଗ କରାଯାଇଥିଲେ ବି କେହି କିଛି ଶୁଣିବାକୁ ପ୍ରସ୍ତୁତ ନଥିବା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ଜମିରୁ ଜବରଦଖଲ ଉଚ୍ଛେଦ କରାଯିବା ନେଇ ବିଏମସି ଏକ ଚିଠି ଲେଖି ଦାୟିତ୍ୱ ସାରି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ସରକାରୀ ଜାଗାରେ ବଡ ଅଟ୍ଟାଳିକା ନିର୍ମାଣ କରୁଥିବା କେନ୍ଦ୍ରାପଡାର ଗନ୍ଧର୍ବ ନାୟକ କ୍ଷମତାଶିଳ ହୋଇଥିବାରୁ ଉଚ୍ଛେଦ ହେଇପାରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।