୨୦୩୬ରେ ଓଡ଼ିଶାର ଚିତ୍ର କିପରି ହେବ, ପ୍ରସ୍ତୁତ ହେଉଛି ଖସଡ଼ା

1 min read

ଭୁବନେଶ୍ବର: ଭାଷା ଭିତ୍ତିରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ରାଜ୍ୟବାସୀ ଆଜି ୮୮ତମ ଜୟନ୍ତୀ ପାଳୁଥିବା ବେଳେ ଜନ୍ମ ଶତବାର୍ଷିକୀ ୨୦୩୬କୁ ନଜରରେ ରଖି ନେଇ ସରକାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସୂଚନା ପ୍ରଯୁକ୍ତି, ଅର୍ଥନୀତି କ୍ଷେତ୍ରରେ ରାଜ୍ୟ କେତେ ଆଗେଇଛି, କୃଷି, ଶିଳ୍ପରେ କେଉଁଠି ପହଞ୍ଚିଛି, ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ୧୦୦ ବର୍ଷରେ ଓଡ଼ିଶାର ଚିତ୍ର କିପରି ହେବ, ତାର ଖସଡ଼ା ବି ପ୍ରସ୍ତୁତ ହେଉଛି । ବିକାଶଶୀଳ ରାଜ୍ୟ ଭାବେ ଜାତିସଂଘ ଦ୍ୱାରା ସ୍ଥିରୀକୃତ ନିରନ୍ତର ବିକାଶ ଲକ୍ଷ୍ୟ ବା ଏସଡିଜି ୨୦୩୦ର ମାପଦଣ୍ଡ କେତେ ପୂରଣ କରିଛି ଓଡ଼ିଶା, ଆଉ କ’ଣ ହାସଲ କରିବାକୁ ବାକି ଅଛି, ତା’ର ବି ତର୍ଜମା ହେଉଛି । ଓଡ଼ିଶାରେ ଲଗାତାର ଚାଲିଥିବା ନବୀନ ସରକାର ଖାଦ୍ୟ ନିରାପତ୍ତା, ପ୍ରାକୃତିକ ବିର୍ପଯ୍ୟୟ ମୁକାବିଲାରେ ବିଶ୍ୱଗୁରୁ ସାଜିଥିବା ବେଳେ ଶିଳ୍ପାୟନ, ପୁଞ୍ଜିନିବେଶ ସହ ସାମଗ୍ରୀକ ବିକାଶ କ୍ଷେତ୍ରରେ ରାଜ୍ୟକୁ ଅନେକ ଆଗକୁ ନେଇଛି । ସ୍ୱତନ୍ତ୍ର ରାଜ୍ୟ ଗଠନର ଉଦ୍ଦେଶ୍ୟ ସାକାର ହେବାରେ ଲାଗିଛି ।

୧୯୩୬ରୁ ୨୦୨୩ । ଭାଷା ଭିତିରେ ଜନ୍ମ ନେଇଥିବା ଓଡ଼ିଶା ୮୭ ବର୍ଷ ଅତିକ୍ରମ କରିଛି । ୨୦୩୬ରେ ଜନ୍ମ ଶତବାର୍ଷିକୀ ପାଳନ କରିବ ରାଜ୍ୟ । ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ବରପୁତ୍ରଙ୍କ ଅବଦାନକୁ ଓଡ଼ିଆ ଜାତି ମନେ ପକାଉଥିବା ବେଳେ ରାଜ୍ୟର ସାମଗ୍ରୀକ ବିକାଶ କଥା ମଧ୍ୟ ଉଠିଛି । ଦୀର୍ଘ ୨୩ ବର୍ଷ ଧରି ଶାସନରେ ଥିବା ନବୀନ ପଟ୍ଟନାୟକଙ୍କ ସରକାର ଏସବୁ ଦିଗରେ ସବୁଠାରୁ ଅଧିକ ସଫଳ ହୋଇଛି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ସହ ଏହାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବାକୁ ସରକାର ଆଇନ ଆଣିଛନ୍ତି । ଓଡ଼ିଆ ଭାଷାକୁ ଅନାଦର କଲେ ଦଣ୍ଡର ବ୍ୟବସ୍ଥା ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ଭିତ୍ତିଭୂମିରେ ଅନେକ ଆଖିଦୃଶିଆ ପରିବର୍ତ୍ତନ ହୋଇଛି । ବିଶ୍ୱସ୍ତରୀୟ ହସ୍ପିଟାଲ ସାଙ୍ଗକୁ ମାଗଣା ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ହେଉ କି ଫାଇଭ-ଟି ନୀତିରେ ବିଦ୍ୟାଳୟର ରୂପାନ୍ତରଣ ସାଙ୍ଗକୁ ଗୁଣାତ୍ମକ ଶିକ୍ଷାରେ ଉନ୍ନତି ଆସିଛି । ବିଜୁ ଏକ୍ସପ୍ରେସ ୱେ, ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଗାଁ ଗଣ୍ଡାକୁ ଗମନାଗମନର ଧାରା ବଦଳାଇଛି । ୧୦୦ ବର୍ଷରେ ଓଡ଼ିଶା କିପରି ହେବା ଉଚିତ ତା’ପାଇଁ ସରକାର କେବଳ ଖସଡ଼ା ପ୍ରସ୍ତୁତ କରିନାହାନ୍ତି, ବରଂ ତାହା ହାସଲ କରିବାକୁ କାମ ମଧ୍ୟ ଆରମ୍ଭ କରିଛନ୍ତି ।

ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶା ଆଜି ସାରା ବିଶ୍ୱରେ ଶିଳ୍ପାୟନ ପାଇଁ ପୁଞ୍ଜିନିବେଶର ହଟସ୍ପଟ ପାଲଟିଛି । କେବଳ ଖଣିଜ ଶିଳ୍ପ ନୁହେଁ, କୃଷି, ମାନୁଫାକ୍ଚରିଂ, ଟେକ୍ସଟାଇଲ କ୍ଷେତ୍ରରେ ମଧ୍ୟ ଆଗେଇଛି । ଭୁବନେଶ୍ୱର ଆଇଟି କ୍ଷେତ୍ରରେ ଦେଶର ବଡ଼ ବଡ଼ ସିଲିକନ ସିଟିକୁ ପଛରେ ପକାଇଲାଣି । ହକି, ଫୁଟବଲ, ଟେନିସ ସହ ଆଥଲଟିକ କ୍ଷେତ୍ରରେ ନୂଆ ଭିତ୍ତିଭୂମି ସହ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗୁଁ ଓଡ଼ିଶା ଦେଶର ସ୍ପୋର୍ଟସ କ୍ୟାପିଟାଲ ଭାବେ ଉଭା ହୋଇଛି । ସଂସ୍କୃତି, ପରମ୍ପରା, ପର୍ବପର୍ବାଣୀ ସହ ଜଡ଼ିତ ଓଡ଼ିଶା ଐତିହ୍ୟ ବିକାଶ କ୍ଷେତ୍ରରେ ଅନେକ ଆଗକୁ ଗଲାଣି । ଦିନେ ସ୍ୱପ୍ନ ଭଳି ଲାଗୁଥିବା ଟ୍ୟାପ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ବି ସମ୍ଭବ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ମିଶନ ଜିରୋ କାଜୁଆଲିଟି ନୀତି ଆପଣାଇ ଜଗତ ସାରା ପ୍ରଶଂସା ସାଉଁଟୁଛି ଓଡ଼ିଶା । ନିଅଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟ ହେବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି ଓଡ଼ିଶା ।

ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛି । ମିଶନ ଶକ୍ତି ୭୦ ଲକ୍ଷ ମହିଳାଙ୍କୁ ସାମାଜିକ, ରାଜନୈତିକ, ଅର୍ଥନୈତିକ ସ୍ୱାଧୀନତା ଦେଇଛି । ଅର୍ଥନୀତି କ୍ଷେତ୍ରରେ ସାରା ଦେଶ ପାଇଁ ଉଦାହରଣ ସାଜିଛି । ଏଭଳି ଧାରା ଜାରି ରହିଲେ ୨୦୩୦ ସୁଦ୍ଧା ଜାତିସଂଘର ଏସଡିଜି ଲକ୍ଷ୍ୟ ହାସଲ ହେବାରେ ଅସୁବିଧା ନାହିଁ ।

୧୦୦ ବର୍ଷର ଓଡ଼ିଶା କିପରି ହେବା ଉଚିତ, ସେଥିପାଇଁ ରାଜ୍ୟ ସରକାର ସମସ୍ତଙ୍କ ସହଭାଗିତାରେ ଭିଜନ ୨୦୩୬ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ଏହାକୁ ବାସ୍ତବ ରୂପ ଦେବା ପାଇଁ ଯୋଜନା କରିଛନ୍ତି । ସମସ୍ତଙ୍କୁ ସମ୍ମାନର ସହ ବଂଚିବାର ଅଧିକାର ପାଇଁ ଜାତିସଂଘର ଏସଡିଜି ୨୦୩୦ କେବଳ ସଭା ସମିତିରେ ସୀମିତ ନ ରହି ଗ୍ରାଉଣ୍ଡ ଜିରୋରେ ବାସ୍ତବ ରୂପ ନେବା ଆରମ୍ଭ କଲାଣି ।