ଓଡ଼ିଶାରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ, ଦିଲ୍ଲୀରେ ନବନିର୍ବାଚିତ ବିଜେପି ସାଂସଦ

ଭୁବନେଶ୍ବର: ସାଧାରଣ ନିର୍ବାଚନ ଶେଷ ହେବା ସହ ଦେଶ ଓ ରାଜ୍ୟ ରାଜନୀତି ଚଳଚଞ୍ଚଳ । ଓଡ଼ିଶାରେ ସରକାର ଗଠନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ନବନିର୍ବାଚିତ ବିଜେପି ସାଂସଦମାନେ ଦିଲ୍ଲୀ ଯାଇଛନ୍ତି । ଆସନ୍ତାକାଲି ବସିବାକୁ ଥିବା ସଂସଦୀୟ ଦଳ ବୈଠକରେ ହେବେ ସାମିଲ ।

ବିଜେପିର ୨୦ ଜଣ ଯାକ ସାଂସଦ ଯାଇଛନ୍ତି ଦିଲ୍ଲୀ । ଆସନ୍ତାକାଲି ବସୁଥିବା ଦଳର ସଂସଦୀୟ ବୋର୍ଡ ବୈଠକରେ ସାଂସଦ ମାନେ ଯୋଗଦେବେ । ଏପରିକି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ସେମାନେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ବିଜେପିର କେନ୍ଦ୍ରୀୟ ନେତାଙ୍କୁ ସହ ସାଂସଦମାନେ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ବିଜେପିର ବିଜୟ ସ୍ବାଭାବିକ ହୋଇଥିବା କହିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର । ବିଧାୟକ ଦଳ ନିଜ ନେତା ବାଛିବେ ଏବଂ ସଂସଦୀୟ କମିଟି ମୋହର ମାରିବ ବୋଲି କହିଛନ୍ତି ଜୟ ନାରାୟଣ । ନବନିର୍ବାଚିତ ବିଧାୟକମାନେ ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ କିଏ ହେବେ ତାହାକୁ ନେଇ କରିଛନ୍ତି ଅପେକ୍ଷା ।