ଆଜି ପୁରୀରେ ଗୋଷାଣି ମେଳଣ, ଶ୍ରୀମନ୍ଦିର ଉପରକୁ ଉଠିବ ଏକାଦଶୀ ମହାଦୀପ

ପୁରୀ: ଆଜି ପୁରୀରେ ଅନୁଷ୍ଠିତ ହେବ ଗୋଷାଣି ମେଳଣ  । ଆଶ୍ବିନ ମାସ ଶୁକ୍ଳ ପକ୍ଷ ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣି ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବ  । ବିଧି ଅନୁସାରେ ଶ୍ରୀମନ୍ଦିର ଉପରକୁ ଏକାଦଶୀ ମହାଦୀପ ଉଠିବା ପରେ ହେବ ମେଲାଣି ଉତ୍ସବ ।

ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ଶେଷରେ ଭସାଣ ଉତ୍ସବର ରହିଛି ସ୍ବତନ୍ତ୍ରତା । ସବୁ ଦୁର୍ଗାମେଢ଼ ବା ଗୋଷାଣି ମେଢ଼ ଶ୍ରୀମନ୍ଦିର ସମ୍ମୁଖରେ ସମ୍ମିଳିତ ହୋଇ ଏକାଦଶୀ ମହାଦୀପ ଉଠିଲା ପରେ ବିସର୍ଜନ କରାଯାଇଥାଏ । ପରମ୍ପରା ଅନୁସାରେ ଗୋଷାଣି ବ୍ୟତୀତ ନାଗା ମେଢ଼ ଓ ଅନ୍ୟାନ୍ୟ ମେଢ଼ ମଧ୍ୟ ଦେଖିବାକୁ ମିଳିବ । ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ  । ସାହି କମିଟି ସହିତ ଆଲୋଚନା କରି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନ୍ୟପଟେ ଆଜିଠୁ ଦୀର୍ଘ ଏକ ମାସ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଧା ଦାମୋଦର ବେଶ ହେବା ସହ ବାଳଭୋଗ ନୀତି ଆରମ୍ଭ ହେବ। ଯାହାକୁ ନେଇ ଶ୍ରୀକ୍ଷେତ୍ରରେ ବେଶ ଗହଳିଚହଳି ଦେଖିବାକୁ ମିଳିଛି।