ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ୨୫ କୋଟି ବ୍ୟୟରେ ବଦଳିଛି ଜନ୍ମମାଟିର କାୟାକଳ୍ପ

1 min read

ଭୁବନେଶ୍ବର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ଜାତୀୟତାବାଦୀ ଆନ୍ଦୋଳନ, ଓଡ଼ିଆ ଭାଷାର ସୁରକ୍ଷା, ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାଯୋଦ୍ଧା, ବାଗ୍ମୀ ଉତ୍କଳମଣି ଗୋପବନ୍ଧୁ ଦାସ । ନୈତିକତାସମ୍ପନ୍ନ ରାଜନୀତି, ସାହିତ୍ୟ, ସାମ୍ବାଦିକତାର କିମ୍ବଦନ୍ତୀ ପୁରୁଷ ପୁଣ୍ୟାତ୍ମା ଗୋପବନ୍ଧୁ । ୧୮୭୭ ମସିହା ଅକ୍ଟୋବର ୯ରେ ଜନ୍ମ ପୁରୀ ଜିଲ୍ଲାର ସୋଆଣ୍ଡୋରେ ଜନ୍ମଲାଭ କରିଥିଲୋ ଗୋପବନ୍ଧୁ । ଦାରିଦ୍ର୍ୟ ଭିତରେ ରହି ମଧ୍ୟ ସେ କୋଟିପ୍ରାଣରେ ଆଣିଥିଲେ ଜାଗରଣ ।

ଜାତୀୟତା ବାର୍ତ୍ତାଧର୍ମୀ ସାହିତ୍ୟ ରଚନା, ହଇଜା ପୀଡ଼ିତ ଲୋକମାନଙ୍କର ସେବା, ପରିବେଶ ପରିଚ୍ଛନ୍ନତା ଆଦି କାର୍ଯ୍ୟରେ ନିଜକୁ ବ୍ରତୀ କରିଥିଲେ ଗୋପବନ୍ଧୁ । ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରୁ ଅନ୍ୟତମ ରଥୀ ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ନେଇଥିଲେ ପ୍ରମୁଖ ଭୂମିକା । ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଯେଉଁମାନ ଆନ୍ଦୋଳନରେ ସାମିଲ ଥିଲେ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ଗୋପବନ୍ଧୁ ।

୧୯୦୩ରେ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ବି ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଲାଗି ବାଟ ଫିଟାଇଥିଲା ଏହି ସମ୍ମିଳନୀ । ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ଗୋପବନ୍ଧୁ ପରବର୍ତ୍ତୀ ପର୍ଯ୍ୟାୟରେ ହୋଇଥିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ । ଗୋପବନ୍ଧୁଙ୍କ ପରି ଜଣେ ମହାନ ଜନସେବୀଙ୍କୁ ଜନ୍ମ ଦେଇ ଅନେକ ଗରିମା ସାଉଁଟିଛି ସୁଆଣ୍ଡୋ ।

ଉତ୍କଳମଣିଙ୍କ ଜନ୍ମମାଟିର କାୟାକଳ୍ପ ବଦଳାଇଛନ୍ତି ରାଜ୍ୟ ସରକାର । ଗୋପବନ୍ଧୁଙ୍କର ୧୫ ଫୁଟ୍ ଉଚ୍ଚ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସହିତ ବିକଶିତ ହୋଇଛି ଶିବ ମନ୍ଦିର, ପୁଷ୍କରଣୀ, ମ୍ୟୁଜିୟମ ଓ ରୂପାନ୍ତରିତ ପୈତୃକ ବାସଗୃହ, ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ସୂଚନା କେନ୍ଦ୍ର । ୨୫ କୋଟି ୮ଲକ୍ଷ ଟଙ୍କା ଖର୍ଚ୍ଚରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି ।