ଆଜିଠୁ ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ; ନାର୍କୋ ଟେଷ୍ଟରେ ସାମ୍ନାକୁ ଆସିବ ସତ

ଭୁବନେଶ୍ବର : ଧରାପଡ଼ିବ ଗୋପାଳର ମିଛ । ନାର୍କୋ ଟେଷ୍ଟରେ ସାମ୍ନାକୁ ଆସିବ ସତ  । ଆଜିଠୁ ଆରମ୍ଭ ହେଉଛି ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସର ତୃତୀୟ ପର୍ଯ୍ୟାୟ ରିମାଣ୍ଡ । ଏହି ଅବଧିରେ ଅଭିଯୁକ୍ତର ହେବ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ  । ନାର୍କୋ ଟେଷ୍ଟ ପାଇଁ ଗତକାଲିଠୁ ଗୋପାଳକୁ ଗୁଜରାଟ ଗାନ୍ଧୀନଗରକୁ ନିଆଯାଇଛି ।

କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକ ଆଠ ଜଣିଆ ଟିମ୍ ଗୋପାଳକୁ ନେଇ ନାର୍କୋ ଟେଷ୍ଟ ପାଇଁ ଯାଇଛି । ଜେରାବେଳେ ଅନେକ ଗୁମର ଖୋଲିଛି ଅଭିଯୁକ୍ତ  । ମାତ୍ର ସେସବୁ କେତେ ଠିକ୍ ? କ୍ରାଇମବ୍ରାଞ୍ଚ ଆଗରେ ଗୋପାଳ ଦେଇଥିବା ବୟାନ ସତ ନା ମିଛ ? ତଦନ୍ତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁନଥିଲା ତ ବହିସ୍କୃତ ଏଏସଆଇ ? ଏହାର ସତ୍ୟାସତ୍ୟ ପରଖିବାକୁ ନାର୍କୋଟେଷ୍ଟ କରାଯାଉଛି  ।

ପୂର୍ବରୁ ଅଭିଯୁକ୍ତର ଏଲଭିଏ ଟେଷ୍ଟ ମଧ୍ୟ ହୋଇଛି  । ଗତକାଲି ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ  । ଗୋପାଳ ମୁହଁରୁ ସତ ଆଦାୟ କରିବାକୁ ଆଉ ୫ଦିନ ରିମାଣ୍ଡ ସହିତ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରିବାକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି  ।