ରାୟପୁର ବିମାନବନ୍ଦରରେ ପହଁଚିଲା ଗୋପାଳ, ଝାରସୁଗୁଡା ଆସୁଛି

ନନ୍ଦିଘୋଷ ବ୍ୟୁରୋ: ରାୟପୁର ବିମାନବନ୍ଦରରେ ପହଁଚିଲା ଗୋପାଳ ଦାସ । ରାସ୍ତାରେ ଝାରସୁଗୁଡା ଅଭିମୁଖେ ଆସୁଛି ହତ୍ୟାକାରୀ । ଗାନ୍ଧୀନଗରରେ ନାର୍କୋଟିକ ଟେଷ୍ଟ ପରେ ଫେରୁଛି ଅଭିଯୁକ୍ତ ଗୋପାଳ ଦାସ  । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକରି ରିମାଣ୍ଡରେ ଯାଇଛି ଗୋପାଳ  । ସୋମବାର ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବାକୁ ଯାଉଛି  ।

ବିଳମ୍ବିତ ରାତିରେ ଝାରସୁଗୁଡାରେ ଗୋପାଳ ପହଁଚିବା ନେଇ ସୂଚନା ରହିଛି  । ଆଠ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳକୁ ରାସ୍ତାରେ ଆସୁଛନ୍ତି  । ହତ୍ୟାର ପ୍ରକୃତ କାରଣ ଜାଣିବାକୁ ୧୫ଦିନ ଧରି ଛାନବିନ ଚଳାଇଛି କ୍ରାଇମବ୍ରାଞ୍ଚ । ଘନଘନ ଯାଞ୍ଚ୍ ଆଉ ଘଣ୍ଟା ଘଣ୍ଟା ଜେରାକରି ଗୋପାଳ ମୁହଁରୁ ସତ ଆଦାୟ କରିବାକୁ କୌଣସି ଦିଗକୁ ହାତଛଡ଼ା କରିନି ତଦନ୍ତକାରୀ ଟିମ୍ ।

୩ଟି ପର୍ଯ୍ୟାୟରେ ୧୩ଦିନ ରିମାଣ୍ଡ ସହିତ ଅଭିଯୁକ୍ତର ଏଲଭିଏ, ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରି ମର୍ଡର ମିଷ୍ଟ୍ଟି ଖୋଲିବାକୁ ଉଦ୍ୟମ ହୋଇଛି। ହେଲେ ଗୋପାଳ ଆରମ୍ଭରୁ ଯାହା କହିଥିଲା ଏସବୁ ତଦନ୍ତ ପ୍ରକ୍ରିୟା ପରେ ବି ସେଥିରେ ଅଟଳ ଥିବା ଜଣାପଡ଼ିଛି । ଯଦିଓ କ୍ରାଇମବ୍ରାଞ୍ଚ ଏନେଇ କୌଣସି ସୂଚନା ଦେଇନି ତେବେ ପଲିଗ୍ରାଫ ଓ ନାର୍କୋ ଟେଷ୍ଟରେ ଅଭିଯୁକ୍ତ ସମାନ କଥା ଦୋହରାଇଥିବା ଆଲୋଚନା ହେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରଥମରୁ ମର୍ଡରର କେଉଁ ମୋଟିଭ କଥା କହିଥିଲା ଗୋପାଳ ?