ଭାରତକୁ ଟ୍ରୋଲ କରୁଥିଲେ ପାକିସ୍ତାନୀ ପ୍ରଶଂସକ, ଏମିତି ଜବାବ ଦେଲେ ଗୁଗଲ ସିଇଓ

1 min read

ନନ୍ଦିଘୋଷ ବ୍ୟୁରୋ: ଗତକାଲି ଅର୍ଥାତ ରବିବାର ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଥିଲା । ପାରମ୍ପରିକ ପ୍ରତିଦ୍ୱନ୍ଦୀ ଟିମ୍ ପାକିସ୍ତାନକୁ ହରାଇ ଭାରତୀୟ କ୍ରିକେଟ ଦଳ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା ।

ମ୍ୟାଚ୍ ପରେ ଭାରତକୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି ଏବଂ ପାକିସ୍ତାନକୁ ଟ୍ରୋଲ କରାଯାଇଛି । ଖାସ କଥା ଏହା ଯେ ଗୁଗଲ ସିଇଓ ସୁନ୍ଦର ପିଚାଇ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଜଣେ ପାକିସ୍ତାନୀ ପ୍ରଶଂସକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ସୂଚନାଯୋଗ୍ୟ, ସୁନ୍ଦର ପିଚାଇ ସାମାଜିକ ଗଣମାଧ୍ୟମରେ ଦୀପାବଳିର ଶୁଭେଚ୍ଛା ଜଣାଇ ଭାରତ-ପାକିସ୍ତାନ ମ୍ୟାଚର ଶେଷ ତିନି ଓଭରର ଉଲ୍ଲେଖ କରିଥିଲେ ।

ଏହି ଟ୍ୱିଟର ଜବାବରେ ଜଣେ ପାକିସ୍ତାନୀ ପ୍ରଶଂସକ ସୁନ୍ଦର ପିଚାଇଙ୍କୁ ପ୍ରଥମ ତିନି ଓଭର ମ୍ୟାଚ୍ ଦେଖିବାକୁ ପରାମର୍ଶ ଦେଇଥିଲେ, ଯେଉଁଥିରେ କେଏଲ ରାହୁଲ, ରୋହିତ ଶର୍ମା ଆଉଟ୍ ହୋଇଥିଲେ । ସୁନ୍ଦର ପିଚାଇ ତାଙ୍କୁ ଏପରି ଜବାବ ଦେଇଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୁନ୍ଦର ଜବାବରେ ଲେଖିଥିଲେ ଯେ, ମୁଁ ମଧ୍ୟ ଦେଖିଛି, ଭୁବନେଶ୍ୱର ଏବଂ ଅର୍ଶଦୀପ ସିଂହ କମାଲର ସ୍ପେଲ ପକାଇଥିଲେ ।

ପାକିସ୍ତାନୀ ୟୁଜର ଏଠାରେ ଇଣ୍ଡିଆକୁ ଟ୍ରୋଲ କରୁଥିଲା, କିନ୍ତୁ ସୁନ୍ଦର ପିଚାଇ ସେହି ପାକିସ୍ତାନୀ ପାଳିର ମନେପକାଇ ତାଙ୍କ ଟିମକୁ ଟ୍ରୋଲ କରିଦେଇଥିଲେ । ସୁନ୍ଦର ପିଚାଇ ନିଜ ଟ୍ୱିଟରେ ଲେଖିଥିଲେ ଯେ ହାପି ଦିୱାଲି, ଆଶା କରୁଛି ଯେ, ସମସ୍ତେ ନିଜ ପରିବାର ଏବଂ ବନ୍ଧୁଙ୍କ ସହ ମିଶି ଦୀପାବଳି ପାଳନ କରୁଥିବେ । ମୁଁ ଏହି ଦୀପାବଳି ଗତକାଲିର ଶେଷ ତିନି ଓଭର ଦେଖି ପାଳନ କରିଛି, ଚମତ୍କାର ମ୍ୟାଚ ଏବଂ ପ୍ରଦର୍ଶନ ଥିଲା, ହାପି ଦିୱାଲୀ ।

ଏହି ଟ୍ୱିଟରେ ଜଣେ ପାକିସ୍ତାନୀ ୟୁଜର ଜବାବ ଦେଇଥିଲେ ଯେ ଆପଣଙ୍କୁ ପ୍ରାରମ୍ଭିକ ତିନି ଓଭର ଦେଖିବାର ଥିଲା । ଏହାର ଜବାବରେ ପିଚାଇ ଲେଖିଥିଲେ ମୁଁ ତାହା ମଧ୍ୟ ଦେଖିଛି, ଭୁବନେଶ୍ୱର ଏବଂ ଅର୍ଶଦୀପ ଚମତ୍କାର ସ୍ପେଲ ପକାଇଥିଲେ । ଭାରତୀୟ ଟିମକୁ ଟ୍ରୋଲ କରୁଥିବା ପାକିସ୍ତାନୀ ପ୍ରଶଂସକ ପିଚାଇଙ୍କ ଏହି ଜବାବରେ ନିଜେ ଟ୍ରୋଲର ଶିକାର ହୋଇଗଲେ । ପିଚାଇଙ୍କ ଏପରି ଜବାବକୁ ନେଇ ଭାରତରେ ଚର୍ଚ୍ଚା ହେଉଛି । ଭାରତୀୟ ବଂଶୋଦ୍ଭବଙ୍କ ଭାରତ ପ୍ରତି ପ୍ରେମ ଦେଖି ପ୍ରଶଂସା କରାଯାଇଛି ।