ଟ୍ରେନରେ ନିଜ ପ୍ରିୟ କୁକୁରକୁ ସାଥୀରେ ନେଇ ପାରିବେ, ରେଳବାଇ ତିଆରି କରୁଛି ପେଟ୍ ଫ୍ରେଣ୍ଡଲି କୋଚ୍

1 min read

ଯାତ୍ରା ସମୟରେ ଅଧିକାଂଶ ବ୍ୟକ୍ତି ନିଜ ସାଥିରେ ପୋଷା ପଶୁଙ୍କୁ ନେଇ ଯିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସବୁବେଳେ ଏହା ସମ୍ଭବ ହୋଇ ପାରିନଥାଏ । କାରଣ ପୋଷା କୁକୁରଙ୍କୁ ନେଇ କେବଳ ଫୁଲ୍ ଫାଷ୍ଟକ୍ଲାସ୍ ଏସିରେ ହିଁ ଯାତ୍ରା କରିବାର ଅନୁମତି ରହିଛି । ତାହା ପୁଣି ଯଦି ପୁରା କମ୍ପାର୍ଟମେଣ୍ଟକୁ ଯଦି ଜଣେ ବୁକ୍ କରିଥାନ୍ତି ତେବେ ସେଥିରେ ପୋଷା କୁକୁର ମଧ୍ୟ ଯାତ୍ରା କରି ପାରିବ । ବର୍ତ୍ତମାନ ଏସି ଟୁ-ଟାୟାର,ଏସି –ଥ୍ରି ଟାୟାରରେ ପୋଷା ଜନ୍ତୁଙ୍କ ସହିତ ଯାତ୍ରା ପାଇଁ ଅନୁମତି ନାହିଁ । ପୋଷା ଜନ୍ତୁଙ୍କ ସହିତ ଯାତ୍ରା କରିବାକୁ ହେଲେ ପୁରା ଫୁଲ୍ ଏସି ଫାଷ୍ଟକ୍ଲାସ ଦୁଇ କିମ୍ବା ୪ ବର୍ଥକୁ ରିଜର୍ଭ କରିବାକୁ ପଡିଥାଏ । ଏହା ସହିତ ନିୟମ ଅନୁସାରେ ଜଣେ ଆଗୁଆ ମଧ୍ୟ ସିଟ୍ ରିଜର୍ଭ କରି ପାରିବେ ନାହିଁ । ଯାତ୍ରାର ଏକ ଘଣ୍ଟା ପୂର୍ବରୁ ତାଙ୍କୁ ଟିକେଟ୍ କାଉଣ୍ଟରରେ ପଶୁଙ୍କ ପାଇଁ ସ୍ଥାନ ରିଜର୍ଭ କରିବାକୁ ପଡିଥାଏ । ଯାହାକି ବ୍ୟୟ ସାପେକ୍ଷ ହେବ ସହିତ ଅସୁବିଧାଜନକ ହୋଇଥାଏ ।
ତେବେ ଉତ୍ତର-ପୂର୍ବ ରେଳବାଇ ଏଭଳି ଯାତ୍ରୀଙ୍କ ପାଇଁ ଏକ ଖୁସୀ ଖବର ଆଣିଛନ୍ତି । ଉତ୍ତର-ପୂର୍ବ ରେଳବାଇ ପୋଷା କୁକୁରଙ୍କ ପାଇଁ ତା’ର ପାୱାରେ କ୍ୟାରେଜ ମଡେଲରେ ପରିବର୍ତ୍ତନ କରିବ । ନୂଆ କ୍ୟାରେଜରେ କୁକୁରଙ୍କ ପାଇଁ ପିଞ୍ଜରା ରହିବ । ଯେଉଁଥିରେ ଯାତ୍ରୀ ତାଙ୍କ ପୋଷା କୁକୁରଙ୍କୁ ଛାଡିବେ । ଏହି କୁକୁରଙ୍କ ଯତ୍ନ ଟ୍ରେନରେ ଥିବା ଗାର୍ଡ୍ ନେବେ । ତେବେ ଯାତ୍ରୀଙ୍କୁ କୁକୁରଙ୍କ ଖାଦ୍ୟ ଦେବାକୁ ପଡିବ । ଉତ୍ତର-ପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପଂକଜ କୁମାର ସିଂ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ।