ଚକ୍ଷୁରୋଗୀଙ୍କ ପାଇଁ ଖୁସି ଖବର: କ୍ୟାପିଟାଲ ହସ୍ପିଟାଲକୁ ଆସିଲା ‘ରାନିବିଜୁମାବ’ ଇଞ୍ଜେକ୍ସନ

ଭୁବନେଶ୍ବର: ଖବର ପ୍ରଶାସନ ପରେ କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ଚକ୍ଷୁରୋଗୀଙ୍କ ସମସ୍ୟାରେ ପଡ଼ିଲା ପୂର୍ଣ୍ଣେଚ୍ଛେଦ । ହସ୍ପିଟାଲକୁ ଆଓିଲା ‘ରାନିବିଜୁମାବ’ ଇଞ୍ଜେକ୍ସନ । ଅଧିକ ଦାମ ଯୋଗୁଁ ବଜାରରେ ଇଞ୍ଜେକ୍ସନ୍ ମିଳୁନଥିବା ବେଳେ ଡାକ୍ତରଖାନାରେ ଅଭାବ ରୋଗୀଙ୍କ ପାଇଁ ଚିନ୍ତା ବଢାଇଥିଲା । ନନ୍ଦିଘୋଷ ଟିଭିରେ ଏନେଇ ଖବର ପ୍ରସାରଣ ପରେ ସମସ୍ୟାରେ ପଡିଛି ପୂର୍ଣ୍ଣଚ୍ଛେଦ । ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସପିଟାଲକୁ ଆସିଛି ଇଞ୍ଜେକ୍ସନ୍ର ୧୦ଟି ଭାଏଲ । ଏହାଦ୍ବାରା ଚକ୍ଷୁରୋଗୀ ହେବେ ଉପକୃତ । ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସବୁ ମହଲରେ କରାଯାଉଛି ପ୍ରଶଂସା ।

ସୂଚନାଯୋଗ୍ୟ, ମଧୁମେହ ରୋଗୀଙ୍କ କ୍ଷେତ୍ରରେ କିଡନୀ ଓ ଚକ୍ଷୁରୋଗ ସମସ୍ୟା ଅଧିକ ଦେଖା ଦେଇଥାଏ । ‘ରାନିବିଜୁମାବ’କୁ ଚକ୍ଷୁରୋଗ ପାଇଁ ରାମବାଣ କୁହାଯାଏ । ଏହାର ଦାମ ଅଧିକ ଓ ବଜାରରେ ଉପଲବ୍ଧ ହୋଇନଥାଏ । କ୍ୟାପିଟାଲ ହସ୍ପିଟାଲରେ ଏହି ଇଞ୍ଜେକ୍ସନ ପୂର୍ବରୁ ମିଳୁଥିଲେ ମଧ୍ୟ ଗତ ବର୍ଷେ ଧରି ଅଭାବ ଦେଖା ଦେଇଥିଲା । ଇଞ୍ଜେକ୍ସନ ନପାଇ ବହୁ ରୋଗୀ ନିରାଶ ହେଉଥିଲେ । ଏନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ରାଜ୍ୟ ଔଷଧ ନିଗମରୁ ଏହି ଇଞ୍ଜେକ୍ସନ ଅଣାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଭାଏଲ ଇଞ୍ଜେକ୍ସନ ଆସିଥିବା ବେଳେ ପର୍ଯ୍ୟାୟ କ୍ରମେ ରୋଗୀଙ୍କ ସଂଖ୍ୟାକୁ ଦେଖି ଅଧିକ ଅଣାଯିବ । ସେପଟେ ଦୀର୍ଘଦିନ ବ୍ୟବଧାନରେ ଇଞ୍ଜେକ୍ସନ ଆସିଥିବାରୁ ରୋଗୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚକ୍ଷୁ ବିଭାଗର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି ।

ମାଗଣାରେ ଉନ୍ନତ ଚିକିତ୍ସା ସେବା ମିଳୁଥିବାରୁ କ୍ୟାପିଟାଲ ହସ୍ପିଟାଲ ଉପରେ ବହୁ ରୋଗୀ ନିର୍ଭରଶୀଳ । ମଧୁମେହ ରୋଗରେ ପୀଡିତ ଚକ୍ଷୁରୋଗୀଙ୍କ ଚିନ୍ତା ବଢ଼ାଇଥିଲା ରାନିବିଜୁମାବ ଇଞ୍ଜେକ୍ସନ ଅଭାବ । ଏବେ ରୋଗୀଙ୍କ ଦୁଃଖ ଦୂର ହୋଇଛି । ମାଗଣାରେ ଇଞ୍ଜେକ୍ସନ ଉପଲବ୍ଧ ହେବା ଜାଣି ଖୁସି ବ୍ୟକ୍ତ କରିଛନ୍ତି ରୋଗୀ । ଡାକ୍ତରଖାନା କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ପଦକ୍ଷେପକୁ କରିଛନ୍ତି ସ୍ବାଗତ ।

ମାସେ ବ୍ୟବଧାନରେ ରୋଗୀଙ୍କୁ ଦୁଇଟି ଇଞ୍ଜେକ୍ସନ ଆଖିରେ ଦେବାକୁ ପଡିଥାଏ । ଆଗକୁ ଇଞ୍ଜେକ୍ସନର ଅଭାବ ଦୂର କରିବାକୁ ଯାଇ ରୋଗୀଙ୍କ ସ୍ବତନ୍ତ୍ର ତାଲିକା ପ୍ରସ୍ତୁତ କରି ଆବଶ୍ୟକତା ଅନୁଯାୟୀ ଇଞ୍ଜେକ୍ସନ ଅଣାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।