କାର୍ ଚଲାଇ ଖାଇବା ଖୋଜୁଛି ମାଛ

1 min read

ଜେରୁଶେଲମ୍: ଏମିତି କିଛି ଅସାଧ୍ୟ କାମ ନାହିଁ ଯାହା ମଣିଷ ଦ୍ବାରା ସମ୍ଭବ ନୁହେଁ । ବିଶ୍ବ ବ୍ରହ୍ମାଣ୍ଡରେ ଆମେ ଏମିତି ଏକ ଜୀବ ଯାହା ଚାହିଁବା କରିପାରିବା । ଏମିତି ଧାରଣା ଆମର ଅଛି । କେତେକାଂଶରେ ଏହା ସତ ମଧ୍ୟ । ହେଲେ କେବେ ଭାବିଛନ୍ତି ମାଙ୍କଡ ପାଣିରେ ଘର କରି ରହିପାରିବ କି ? କୁକୁର ଉଡ଼ି ପାରିବ କି ? ମାଛ ଗାଡ଼ ଚଲାଇ ପାରିବ କି ? ଏସବୁ ପ୍ରଶ୍ନ ଆପଣଙ୍କୁ ଅଜବ ଲାଗିପାରେ ।  ଥରେ ଭାବି ଦେଖନ୍ତୁ, ଯଦି ମଣିଷ ସବୁକିଛି କରିବାର କ୍ଷମତା ରଖୁଛି ଅନ୍ୟ ଜୀବଙ୍କ ପାଖରେ ଏମିତି କରିବାର କ୍ଷମତା କାହିଁକି ନଥିବ ? ଯଦି କହିବେ ମଣିଷ ବ୍ୟତୀତ ଅନ୍ୟ କୌଣସି ଜୀବ ସେମାନଙ୍କ ନିର୍ଦ୍ଧାରିତ ଅଭ୍ୟାସ ବଦଳରେ ଅନ୍ୟ କୌଣସି କାମ କରିପାରିବେ ନାହିଁ ତେବେ ଆପଣଙ୍କ ଭାବନା ଭୁଲ । କାରଣ ଆଜି ଆମେ ଏମିତି ଏକ ଜୀବ ସମ୍ପର୍କରେ କହିବାକୁ ଯାଉଛୁ, ଯିଏ ପାଣି ବିନା ବଞ୍ଚିବା ସମ୍ଭବ ନୁହେଁ । ଏବେ ରାସ୍ତାରେ କାର୍ ଚଲାଉଛି । ଠିକ୍ ବୁଝୁଛନ୍ତି, ଆମେ ମାଛ କଥା ହିଁ କହୁଛୁ । ରାସ୍ତାରେ କାର ଚଲାଉଛି ମାଛ ।

ନିକଟରେ ବୈଜ୍ଞାନିକମାନେ ଏକ ପ୍ରୟୋଗ କରି ଏକ ଛୋଟ କାର୍ ମାଛ ଦ୍ବାରା ଚଲାଇଛନ୍ତି । ମାଛଟି ଯେଉଁ ଦିଗକୁ ଯିବାକୁ ଚାହୁଁଛି କାରଟି ଠିକ ସେହି ଦିଗରେ ଚାଲୁଛି । ଇସ୍ରାଏଲର ବେନ୍ ଗୁରିୟନ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ମାଛ ଦ୍ବାରା କାର୍ ଚଲାଇବାକୁ ସକ୍ଷମ ହୋଇଛନ୍ତି । ପଶୁପକ୍ଷୀଙ୍କ ଦିଗ ନିର୍ଦ୍ଧାରଣ କ୍ଷମତା ଓ ନିଜ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାର କ୍ଷମତା ସମ୍ପର୍କରେ ଜାଣିବାକୁ ଏହି ପରୀକ୍ଷା କରାଯାଇଥିଲା । ଯାହା ସଫଳ ହୋଇଛି ଓ ଏକ ଗୋଲ୍ଡ ଫିସ୍ ‘ଫିସ୍ ଅପରେଟେଡ ଭେଇକିଲ’ ଚଲାଇ ସମସ୍ତଙ୍କୁ ଚକିତ କରିଦେଇଛି । ଖାଇବା ଲୋଭରେ ମାଛଟି ନିର୍ଦ୍ଧାରିତ ସ୍ଥାନରେ କାର୍ ସାହାଯ୍ୟରେ ପହଞ୍ଚିଛି ।

ବିହେବିୟର ବ୍ରେନ୍ ରିସର୍ଚ୍ଚ ଜର୍ନଲରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଇସ୍ରାଏଲର ବୈଜ୍ଞାନିକମାନେ ଏକ ରୋବୋଟିକ୍ କାର୍ ବନାଇଛନ୍ତି । ଏହା ଉପରେ ଏକ ପାଣି ଟାଙ୍କି ରହିଛି । ଯେଉଁଥିରେ ଏକ ଗୋଲ୍ଡ ଫିସକୁ ଛଡ଼ା ଯାଇଥିଲା । ଦିଗ ଜାଣିବାକୁ ମାଛ ମୁହଁ ଆଡ଼କୁ ଏକ ଲାଇଡର ଖଞ୍ଜା ଯାଇଥିଲା । ଯାହା ଏକ କମ୍ପ୍ୟୁଟର ସହ ସଂଯୋଗ ହୋଇଥିଲା । ଲାଇଡରର ଠିକ୍ ତଳକୁ ଏକ କ୍ୟାମେରା ଲାଗିଥିଲା । ଯାହା ମାଛର ମୁହଁ ଉପରେ ନଜର ରଖିଥିଲା ଓ ତା’ର ବ୍ୟବହାର ଅନୁସାରେ କମ୍ପ୍ୟୁଟରକୁ ତଥ୍ୟ ଦେଉଥିଲା । କମ୍ପ୍ୟୁଟର ମାଛ ମୁହଁର ଦିଗ ଅନୁସାରେ ରୋବୋଟିକ କାରକୁ ସେ ଚାହୁଁଥିବା ଦିଗରେ ଚଲାଉଥିଲା ।

ପ୍ରଥମେ ଗୋଲ୍ଡ ଫିସକୁ ଗୋଟିଏ ଘରେ ଟାର୍ଗେଟ ଦେଖା ଯାଇଥିଲା । ଏଥିରେ ମାଛ ପାଇଁ ଖାଇବା ରଖାଯାଇଥିଲା । ପରେ ଖାଇବାକୁ ଘରର ଅନ୍ୟ କୋଣରେ ରଖିଦିଆ ଯାଇଥିଲା । ମାଛଟି ପ୍ରଥମେ ଘରର ଚାରିପଟେ ଦେଖିଥିଲା । ପରେ ଖାଇବା ଥୁଆ ହୋଇଥିବା ସ୍ଥାନରେ ପହଞ୍ଚିବାକୁ ଦିଗ ନିର୍ଦ୍ଧାରଣ କରିବା ଆରମ୍ଭ କରିଥିଲା । ତା’ ମୁହଁର ବ୍ୟବହାରରୁ ଲାଇଡର କ୍ୟାମେରା କମ୍ପ୍ୟୁଟରକୁ ତଥ୍ୟ ଦେଇଥିଲା ଓ କମ୍ପ୍ୟୁଟର ଛୋଟ କାରଟିକୁ ସେହି ଦିଗରେ ଚଲାଇ ଖାଇବା ରଖାଯାଇଥିବା ସ୍ଥାନରେ ପହଞ୍ଚି ଯାଇଥିଲା ।

ତେବେ ଗୋଲ୍ଡ ଫିସ୍ ସହଜରେ ତା’ ଖାଦ୍ୟ ପାଖରେ ପହଞ୍ଚି ପାରିନଥିଲା । ଏଥିପାଇଁ ତାକୁ ଘର ଭିତରେ କେତେଥର ଚକ୍କର ଲଗାଇବାକୁ ପଡ଼ିଥିଲା । ଖାଇବା ଖୋଜିବା ବେଳେ କେତେବେଳେ ଉପରକୁ ଯାଉଥିଲା ତ କେତେବଳେ ତଳକୁ ଯାଉଥିଲା । କେତେବେଳେ ଖାଇବା ପାଖରେ ପହଞ୍ଚି ମଧ୍ୟ ସଠିକ ଭାବେ ଜାଣି ନପାରି ପୁଣି ଫେରି ଆସୁଥିଲା । ଶେଷରେ ଦିଗ ବଦଳାଇ ଖାଇବା ପାଖରେ ପହଞ୍ଚି ଯାଇଥିଲା । ଏଥିପାଇଁ ମାଛଟିକୁ ପ୍ରାୟ ଦୁଇ ମିନିଟ ସମୟ ଲାଗିଥିଲା । କାରଣ, ମାଛଟି ନିଜ ବାସ୍ତବିକ ପରିବେଶରେ ନଥିଲା । ତଥାପି ପାଣିରେ ଓ ପାଣି ବାହାରେ ନିଜ ଟାର୍ଗେଟକୁ ଦେଖିବାର ଶକ୍ତି ମାଛ ପାଖରେ ଥିବାରୁ ସେ ଖାଇବା ଖୋଜିବାକୁ ସକ୍ଷମ ହୋଇଥିଲା ।

କେବଳ ସେହି ଘରେ ନୁହେଁ, ରାସ୍ତା ଉପରେ ମଧ୍ୟ ଏମିତି ପରୀକ୍ଷା କରାଯାଇଥିଲା । ମାଛକୁ ଫୁଟପାଥରେ ଓ ଖାଇବା ରାସ୍ତା ଉପରେ ରଖାଯାଇଥିଲା । ଏଠାରେ ବି ମାଛଟି ନିଜ ଖାଇବା ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା ।

ବୈଜ୍ଞାନିକ ବେନ ଶହରଙ୍କ ଅନୁସାରେ, ଯଦି ଜୀବଙ୍କୁ ସଠିକ ଟ୍ରେନିଂ ଦିଆଯିବ ତେବେ ଯେକୌଣସି ପରିସ୍ଥିତିରେ ତାଙ୍କୁ କାମ କରାଯାଇପାରିବ ଓ ସେମାନଙ୍କ ପାଖରୁ ଅବଶ୍ୟକ ଅନୁସାରେ କାମ ହାସଲ କରିହେବ । ଆମେ ଗୋଲ୍ଡ ଫିସ୍ ଜରିଆରେ ସିଫ୍ ଅପରେଟେଡ ଭେଇକିଲ ଚଲାଇଥିଲୁ । ମାଛକୁ ଟାର୍ଗେଟ ଭାବେ ଖାଇବାର ଲୋଭ ଦେଖାଇଥିଲୁ । କିଛିଦିନର ଟ୍ରେନିଂ ପରେ ମାଛଟି ବୁଝି ଯାଇଥିଲା ତା’ପାଇଁ ଟାର୍ଗେଟ କ’ଣ ଓ ଏହା କେଉଁଠି ରଖାଯାଉଛି । କେବଳ କାର ସେହି ଦିଗରେ ଚଲାଇ ତାକୁ ଖାଇବା ପାଖରେ ପହଞ୍ଚିବାର ଥିଲା, ଯାହା ସିଏ କରିଦେଖାଇଲା । ବୈଜ୍ଞାନିକଙ୍କ ମତରେ ପାଣି ବିନା ମାଛ ବଞ୍ଚି ପାରିବ ନାହିଁ । ହେଲେ ପାଣି ବାହାରେ ମଧ୍ୟ ସେ ଦିଗ ନିର୍ଦ୍ଧାରଣ କରିପାରିବ । କେବଳ ମାଛ ନୁହେଁ, ସବୁ ଜୀବ w୍ରତିକୂଳ ପରିସ୍ଥିତିରେ ନିଜ ଦିଗ ନିର୍ଦ୍ଧାରଣ କରିବାକୁ ସକ୍ଷମ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ସର୍ଭେ କରୁଥିବା ବୈଜ୍ଞାନିକମାନେ କହିଛନ୍ତି, ଏହି ଟେକ୍ନୋଲଜି ବ୍ୟବହାର କରି ଗୋଟିଏ ପ୍ରଜାତୀର ଜୀବ ଅନ୍ୟ ପ୍ରଜାତୀ ପ୍ରତି ଆକର୍ଷିତ ହେବା କିମ୍ବା ଦୂରକୁ ପଳାଇବା ଜାଣି ହେବ । ଏହାବାଦ ଖାଇବା, ପରିବେଶ, ଜଳବାୟୁ ଓ ପ୍ରଦୂଷଣ କେମିତି ଏହି ଜୀବଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ସାହାଯ୍ୟ କରୁଛି ତାହା ଜାଣିହେବ ।

ଯଦି ଏହି ଟେକ୍ନିକର ବ୍ୟବହାର କରାଯାଏ ତେବେ ମାଛ ଯେ କୌଣସି ସ୍ଥାନରେ କାର୍ ଡ୍ରାଇଭ୍ କରିପାରିବ । ମାଛ ସମେତ ଅନ୍ୟ ଜୀବଙ୍କ ଦିଗ ନିର୍ଦ୍ଧାରଣ କ୍ଷମତା ଜାଣିବାକୁ ଏହି ବୈଜ୍ଞାନିକ ପ୍ରୟୋଗ କରାଯାଇଥିଲା । ଯାହା ମାଛ ଉପରେ ସଫଳ ହୋଇଛି । ଏବେ ଏହାର ବ୍ୟବହାର ଆଉ କେଉଁ ଜୀବନ ଉପରେ କରାଯିବ ତାହା ତଦନ୍ତ କରୁଥିବା ବୈଜ୍ଞାନିକମାନେ ସ୍ପଷ୍ଟ କରିନାହାନ୍ତି ।

ଗୋଲ୍ଡ ଫିସ୍ ଦିଗ ନିର୍ଦ୍ଧାରଣ ବୁଝିବାକୁ ବ୍ୟବହାର କରାଯାଇଥିବା ଟେକ୍ନୋଲଜି ବ୍ୟବହାର କରି ଯେକୌଣସି ଗାଡ଼ିକୁ ଚଲାଇ ହେବ । ଏହା ଭବିଷ୍ୟତରେ ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ବଡ଼ ପରିବର୍ତ୍ତନ ଆଣିପାରିବ ।

Leave a Reply