ଓ଼ଡ଼ିଶାର ମୋନା ବିଶ୍ୱରୂପା ମହାନ୍ତିଙ୍କୁ ଦୁବାଇର ‘ଗୋଲ୍ଡେନ୍ ଭିସା’, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ମୋନା ବିଶ୍ୱରୂପା ମହାନ୍ତିଙ୍କୁ ମିଳିତ ଆରବ ଏମିରଟ (ୟୁଏଇ)ର ଗୋଲ୍ଡେନ୍ ଭିସା ସମ୍ମାନ ମିଳିଛି । ଏହି ସମ୍ମାନ କାରଣରୁ ସେ ଦୁବାଇରେ ୧୦ ବର୍ଷ ପର୍ଯ୍ୟନ୍ତ ରହି ପାରିବେ । ଏହି ଲମ୍ବା ଅବଧିର ଭିସା କଳା, ସଂସ୍କୃତି, ସାହିତ୍ୟ ଓ ଐତିହାସିକ ଅଧ୍ୟୟନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଦାନ କରାଯାଇଥାଏ । ଏହି ଭିସା ବିଦେଶୀ ନାଗରିକଙ୍କୁ ୟୁଏଇରେ ରହିବା ସହିତ କାମ କରିବା ପାଇଁ ଅଧିକାର ପ୍ରଦାନ କରେ । ଏହା ସହିତ ଏହି ଭିସା ପାଇଥିବା ବ୍ୟକ୍ତି ୟୁଏଇରେ ଏକ ଶତ ପ୍ରତିଶତ ମାଲିକାନାରେ ବ୍ୟକ୍ତିଗତ ବ୍ୟବସାୟ କରି ପାରିବେ ।

ମୋନାଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଓଡ଼ିଆ ଭାବେ ସେ ଏହି ସମ୍ମାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ତାଙ୍କର ଏହି ଉପଲବ୍ଧ ଅନ୍ୟମାନଙ୍କୁ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ ଲାଗି ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ୟୁଏଇ ଏହି ୨୦୧୯ରେ ଏହି ନୂଆ ବ୍ୟବସ୍ଥା ଲାଗୁ କରିଥିଲା । ଯାହା ଅନୁଯାୟୀ ଏହି ଭିସା ୫ କିମ୍ବା ୧୦ ବର୍ଷ ପାଇ ଜାରି କରାଯାଇଥାଏ । ଗୋଲ୍ଡେନ୍ ଭିସା ସ୍ୱଂୟ ନବୀକରଣ ହୋଇଥାଏ । ଅର୍ଥାତ ଏହାକୁ ପାଇଥିବା ବ୍ୟକ୍ତିଙ୍କୁ ପୁଣିଥରେ ଏହାକୁ ରିନ୍ୟୁଆଲ କରିବାକୁ ପଡିନଥାଏ । ମହାନ୍ତି ପ୍ରଥମ ଓଡ଼ିଆ କଳାକାର ଯାହାଙ୍କୁ ଗୋଲ୍ଡେନ୍ ଭିସା ମିଳିଛି । ବିଶ୍ୱରୂପା ୨୦୦୭ରୁ ଦୁବାଇରେ ରହୁଛନ୍ତି । ସେ ପ୍ରାୟ ୮ ବର୍ଷ ଧରି ଶିକ୍ଷା ଓ ଡିଜାଇନ୍ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

ବିଶ୍ୱରୂପା ମହାନ୍ତି କିଏ ?
ବିଶ୍ୱରୂପା ଦୁବାଇର ଆର୍ଥିକ ବିଭାଗର କର୍ମଚାରୀ ଅଟନ୍ତି । ସେ ଓଡ଼ିଶାର ବାରିପଦାର ସ୍କୁଲ ଅଫ୍ ଆର୍ଟ୍ସ ଆଣ୍ଡ୍ କ୍ରାଫ୍ଟସରୁ ଲଳିତ କଳାରେ ଡିପ୍ଲୋମା କରିଛନ୍ତି । ତାଙ୍କ ପିତା ସଂଗ୍ରାମ କିଶୋର ମହାନ୍ତି ଗୀତିକାର ଭାବେ ଓଡ଼ିଶାର ପରିଚିତ । ତାଙ୍କ ମା’ ଜଣେ ଶିକ୍ଷୟତ୍ରୀ । ବିଶ୍ୱରୂପା ଇଟାଲିର ମିଲାନରୁ ଫେସନ ଓ ଟେକ୍ସଟାଇଲରେ ସ୍ନାତକୋତ୍ତର ଡିଗ୍ରୀ ପାଇଛନ୍ତି ।

ଗୋଲ଼୍ଡେନ୍ ଭିସା ପାଇବା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଏହି ଭିସା ମୋତେ ଲମ୍ବା ଅବଧି ପାଇଁ ଦୁବାଇରେ ରହିବା ପାଇଁ ସୁଯୋଗ ଦେବା ସହିତ ସାଂସ୍କୃତିକ ଓ ଅନ୍ୟ କଳାକାରଙ୍କ ସହିତ ମିଶିକରି କାମ କରିାର ସୁଯୋଗ ଦେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଲ୍ଡେନ୍ ଭିସା ପାଇଁ ତାଙ୍କୁ ନିଜ ଦେଶର ସାଂସ୍କୃତି ପ୍ରତିନିଧିତ୍ୱ କରିବାର ଅବସର ମିଳିଛି ।

Leave a Reply