ମାଟି ଭର୍ତ୍ତି ଟ୍ରାକ୍ଟର ଖାଲି କଲାବେଳେ ହଠାତ ଖସିଲା ସୁନା ରୂପାର ମୁଦ୍ରା, ଲୁଟିନେଲେ ଗାଁ ଲୋକ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ଶାମଲୀ ଜନପଦରେ ଜଣେ କୃଷକଙ୍କ ଜମିରେ ମାଟି ଖୋଳା ଚାଲିଥିବାବେଳେ ମାଟି ଭିତରୁ ସୁନା ଓ ରୁପାର ମୁଦ୍ରା ବାହାରୁଥିବା ଖବର ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ସୁନା ରୂପାର ମୁଦ୍ରା ଗୁଡ଼ିକ ପ୍ରାଚୀନ କାଳର ବୋଲି କୁହାଯାଉଛି । ରବିବାର ଦିନ ଏକ ଜମିରେ ମାଟି ଖୋଳା ଚାଲିଥିବାବେଳେ ମାଟିରେ ଭର୍ତ୍ତି ଏକ ଟ୍ରାକ୍ଟରରୁ ମୁଦ୍ରା ଖସୁଥିବା ଘଟଣା ଗାଁଲୋକ ଜାଣିବାକୁ ପାଇଲେ ।

ମାଟି ତଳୁ ସୁନା ରୂପା ବାହାରୁଥିବା କଥା ପ୍ରଚାର ହେବା ପରେ ଘଟଣାସ୍ଥଳରେ ଗାଁ ଲୋକଙ୍କ ଭିଡ଼ ଜମିଯାଇଥିଲା । ଯିଏ ଯାହା ପାଇଲା ଗୋଟାଇ ନେବାକୁ ଲାଗିଲେ । ଖବର ପାଇ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଲା । କିନ୍ତୁ ଗାଁ ଲୋକ ମୁଦ୍ରା ବାହାରୁଥିବା କଥାକୁ ଅସ୍ୱୀକାର କରିଥିଲେ । କିନ୍ତୁ ତିନୋଟି ମୁଦ୍ରାର ଫଟୋ ଗଣମାଧ୍ୟମ ହାତରେ ଲାଗିଥିଲା, ଯେଉଁଥିରେ ଦୁଇଟି ସୁନା ମୁଦ୍ରା ହୋଇଥିବାବେଳେ ଗୋଟିଏ ରୂପା ମୁଦ୍ରା ଥିଲା । ରୂପା ମୁଦ୍ରା ଉପରେ ଆରବୀ ଭାଷାରେ ରହମୁତୁଲ୍ଲା ଇବ୍ ମହମ୍ମଦ ଏବଂ ଅନ୍ୟ ସୁନା ମୁଦ୍ରାରେ ଆଉ ଏକ କଲମା ଲେଖାହୋଇଛି ।

ଜମିର ମାଲିକ ଓମ ସିଂହଙ୍କ କହିବା ଅନୁଯାଯୀ ଜମିରୁ କିଛି ମୁଦ୍ରା ମିଳିଛି । ସେଥି ମଧ୍ୟରୁ କେତୋଟି ସୁନା ଏବଂ କୋତୋଟି ରୂପା ତାର ସୂଚନା ମିଳିପାରିନାହିଁ ।

ଏସଡିଏମ ଅରବିନ୍ଦ ସିଂହଙ୍କ ସୂଚନା ଅନୁଯାୟୀ ଜମି ଖୋଳାବେଳେ କିଛି ଧାତୁ ବାହାରିଥିବା ସୂଚନା ରହିଛି । ଏସଡିଏମଙ୍କୁ ଯାଞ୍ଚ ପାଇଁ କୁହାଯାଇଛି ଏବଂ ପୁରୁଣା ମୁଦ୍ରା ହୋଇଥିବାରୁ ପ୍ରତ୍ନତତ୍ତ୍ୱ ବିଭାଗକୁ ମଧ୍ୟ ସୂଚନା ଦିଆଯିବ ।

Leave a Reply