ସୁନା ବଜାରରେ ନିଆଁ: କିଣିବା ଛାଡନ୍ତୁ, ଚାହିଁବା ମାନ

ଭୁବନେଶ୍ବର: ଦିନକୁ ଦିନ ଆକାଶ ଛୁଆଁ ହେଉଛି ସୁନା ଦର । ୨୪ କ୍ଯାରେଟ ସୁନା ୧୦ ଗ୍ରାମ ପିଛା ୭୫ ହଜାର ଟଙ୍କା ପାର୍ କଲାଣି । ୨୨ କ୍ଯାରେଟ ଦର ୭୦ ହଜାର ପାଖାପାଖି । ମନ ଥିଲେ ବି ଦରକୁ ଦେଖି ଦୋକାନରୁ ମୁହଁ ଫେରାଇ ନେଇଛନ୍ତି ଗ୍ରାହକ, ହାତବାନ୍ଧି ବସିଛନ୍ତି ବ୍ଯବସାୟୀ ।

ପାର୍ବଣରେ ସୁନା ଦର ହେଲାଣି ଅସମ୍ଭାଳ । ଆଗକୁ ହାତ ମାରି ହେବନି । ଲଗାତାର କିଛି ମାସ ହେଲା ସୁନା ଦର ବଢି ସର୍ବକାଳୀନ ସ୍ତରରେ ପହଞ୍ଚିଲାଣି । ୨୪ କ୍ଯାରେଟ ସୁନା ୧୦ ଗ୍ରାମ ପିଛା ପାର କଲାଣି ୭୫ ହଜାର । ୨୨ କ୍ଯାରେଟ ୭୦ ହଜାର ପାଖାପାଖି । ତଥ୍ଯ କହୁଛି କେବଳ ଚଳିତବର୍ଷ ସୁନା ୧୨ ହଜାର ଟଙ୍କା ମହଙ୍ଗା ହେଲାଣି । ଜାନୁଆରୀ ଏକ ତାରିଖରେ ୨୪ କ୍ଯାରେଟ ସୁନା ୧୦ ଗ୍ରାମ ପିଛା ଥିଲା ପ୍ରାୟ ୬୩ ହଜାର । ଯାହାକି ଏବେ ୭୫ ହଜାର ପାର୍ କଲାଣି । ଯାହାକୁ ନେଇ ଉଭୟ ଗ୍ରାହକ ଓ ବ୍ଯବସାୟୀ ଚିନ୍ତାରେ ପଡ଼ିଛନ୍ତି ।

କାହିଁକି ଦିନକୁ ଦିନ ଅମୁଲମୂଲ ହେଉଛି ସୁନା ?

କୁହାଯାଉଛି ସୁନା ଏକ ଭରସାଯୋଗ୍ଯ ନିବେଶ । ଉଚ୍ଚ ମୁଦ୍ରାସ୍ପ୍ରୀତି ଓ ବିନିମୟ ମୁଦ୍ରା ମୂଲ୍ଯରେ ଅସ୍ଥିରତା ଯୋଗୁଁ ଲୋକେ ସୁନାରେ ନିବେଶ କରୁଛନ୍ତି । ଷ୍ଟକ କିମ୍ବା ବଣ୍ଡ ମୂଲ୍ଯରେ ହ୍ରାସ ଘଟିଲେ ସୁନାରେ ନିବେଶ ବଢିଥାଏ । ଏହାଛଡ଼ା ମଧ୍ଯପ୍ରାଚ୍ଯରେ ଉତ୍ତେଜନା ପାଇଁ ବିଶ୍ବ ବଜାର ହ୍ରାସ ଘଟିଛି । ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଗୋଲ୍ଡ ମାର୍କେଟ ଉପରେ । ଫଳରେ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଏଭଳି ଚଢା ଦାମକୁ ଦେଖି ମନ ଥିଲେ ସୁନା କିଣିବାକୁ ହାତ ଯାଉନି ।

ସେହିପରି ଗତ ୨୯ ତାରିଖରେ ରୁପା ସର୍ବାକାଳୀନସ୍ତର ୯୪ ହଜାର ୨୮୦ ଟଙ୍କାକୁ ଛୁଇଁଥିଲା । ପରେ ଦର ହ୍ରାସ ପାଇ ଏବେ କେଜି ପିଛା ୯୦ ହଜାର ୯୩୦ ଟଙ୍କାରେ ପହଞ୍ଚିଛି ।