ସୁନା ଦରକୁ ନେଇ ଦ୍ବନ୍ଦରେ ଗ୍ରାହକ

ଭୁବନେଶ୍ବର: ପାର୍ବଣ ଋତୁରେ ସୁନା କିଣା । ହେଲେ ସୁନା ଦର ଭିନ୍ନ ଭିନ୍ନ ଦେଖି ଗ୍ରାହକ ଦ୍ବନ୍ଦ୍ବରେ ।  ୨୨ କ୍ୟାରେଟ୍ ସୁନା ଗହଣା ଦର ୧୦ ଗ୍ରାମ୍ ପିଛା କେଉଁଠି ୫୬ ହଜାର ୯୦୦ ଟଙ୍କା ଆଉ କେଉଁଠି ୫୬ ହଜାର ୬୦୦ । ଏପିରିକି କିଛି ସ୍ଥାନରେ ୫୭ ହଜାର ଟଙ୍କା ଦର ରହିଛି । ଭୁବନେଶ୍ବର ସମେତ ଓଡ଼ିଶା ବଜାରରେ ଭିନ୍ନ ଭିନ୍ନ ଜୁଏଲାରୀ ଦୋକାନୀ ଗ୍ରାହକଙ୍କୁ ଭିନ୍ନ ଭିନ୍ ଦରରେ ଗହଣା ବିକ୍ରି କରୁଛନ୍ତି । ସୁନା ଗହଣା କିଣିବା ମୋହରେ ଗ୍ରାହକ ଏଥିପ୍ରତି ଦୃଷ୍ଟି ଦିଏନି । କଣ ରହିଛି ଏହା ପଛର କାରଣ  ?

ଓଡ଼ିଶାରେ ଦଶହରାଠାରୁ ଧନତେରାସ୍ ପର୍ଯ୍ୟନ୍ତ ୧ କ୍ବିଣ୍ଟାଲରୁ ୨ କ୍ବିଣ୍ଟାଲ୍ ସୁନା ବିକ୍ରି ହେଉଛି । ପ୍ରାୟ ୬୦୦ କୋଟି ଟଙ୍କାର ବିଶାଳ କାରବାର । ବଡ଼ ବଡ଼ କର୍ପୋରେଟ୍ ସୁନା ଦୋକାନୀଙ୍କ ଆଗରେ ଛୋଟ ସୁନା ଦୋକାନୀଙ୍କ ବେପାର ଫିକା ପଡିଯାଏ । ବେପାର କରିବା ପାଇଁ ଛୋଟ ସୁନା ଗହଣା ଦୋକାନୀ ବାଧ୍ୟ ହୋଇ ସରକାରୀ ଓ ଆଇବିଜେ ଧାର୍ଯ୍ୟ କରିଥିବା ଦରଠାରୁ କମ୍ ଦର ଅଫର୍ କରନ୍ତି । ଓଡ଼ିଶାରେ ସୁନା ଦୋକାନୀଙ୍କ ସଂଘ ଥିଲେ ବି ସୁନା ଦର ସମାନ ରଖିବା ନେଇ କୌଣସି ମେକାନିଜିମ ନାହିଁ ।