ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ ଆକାଶ ଛୁଆଁ ସୁନା ଦର, ଜାଣନ୍ତୁ ଏବେ କଣ ରହିଛି ଦାମ ?

ନନ୍ଦିଘୋଷ ବ୍ୟୁରୋ: ଆକାଶ ଛୁଆଁ ସୁନା ଦର। ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବୁଛନ୍ତି। ଜାରି ରହିଛି ଅର୍ଥନୈତିକ ଅନିଶ୍ଚିତତା। ୧ ଲକ୍ଷ ଟଙ୍କା ପାର କଲା ସୁନା।ଭୁବନେଶ୍ଵରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୯୮ ହଜାର ୫୦ ଟଙ୍କାରେ ପହଞ୍ଚିଲା। ୨୪ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ଦର ହେଲା ୧ ଲକ୍ଷ ୯ ହଜାର ଟଙ୍କା। ସୁନା ଦରରେ ଲଗାତର ବୃଦ୍ଧି ଦେଖିବାକୁ ମିଳୁଛି। ଏବର୍ଷ ଜାନୁଆରୀ ପରଠାରୁ ଏଯାଏ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୨୮,୦୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି।
ସେହିଭଳି ରୁପା ୧୦ ଗ୍ରାମ ଦର ୧୩୨୦ ଟଙ୍କା ରହିଛି।ବିଶ୍ବ ବଜାରରେ ମାନ୍ଦାବସ୍ଥା ଜାରି ରହିଥିବାରୁ ସେୟାର ବଜାରଗୁଡ଼ିକ ଧରାଶାୟୀ ହେବାରେ ଲାଗିଛନ୍ତି। ଲୋକେ ଆଉ ସେୟାର ବଜାରରେ ନିବେଶ ନକରି ସୁନାରେ ପୁଞ୍ଜି ବିନିଯୋଗ କରିବାକୁ ସୁରକ୍ଷିତ ମଣୁଛନ୍ତି।ସୁନା ଅଧିକ ରିଟର୍ଣ୍ଣ ଦେଉଥିବାରୁ ଚାହିଦା ବଢ଼ିବାରେ ଲାଗିଛି। ସୁନା ଦର ବଢିବା ଦ୍ବାରା ମଧ୍ଯବିତ୍ତ ପରିବାର ଉପରେ ଅନେକ ପ୍ରଭାବ ପଡିଛି। ସୁନା ରେଟ ବୃଦ୍ଧି ହେଉଥିବା ବେଳେ ଆଗକୁ ପାର୍ବଣର ଋତୁ ଆସୁଛି। ଆହୁରି କେତେ ବଢ଼ିବ ସୁନା ଏହାକୁ ନେଇ ଚିନ୍ତାରେ ଗ୍ରାହକ ।
ସୁନା ଦର ବଢ଼ିବାର ୫ ଟି ପ୍ରମୁଖ କାରଣ ରହିଛି। ଟ୍ରମ୍ପଙ୍କ ଟାରିଫ ନୀତି ଏବଂ ବାଣିଜ୍ୟ ଯୁଦ୍ଧ ଡରରେ ନିବେଶକ ସୁନାକୁ ନିରାପଦ ମନେ କରି କ୍ରୟ କରୁଛନ୍ତି। ଚୀନ, ଋଷ ଭଳି ଦେଶ ଅଧିକ ମାତ୍ରାରେ ସୁନା କିଣୁଛନ୍ତି। ଯାହା ସୁନା, ରୁପାର ଚାହିଦା ବଢ଼ାଉଛି। ଚାହିଦା ବଢ଼ିବା ସହ ଦର ବି ବଢୁଛି।ଋଷ, ୟୁକ୍ରେନ ଯୁଦ୍ଧ ଶେଷ ନହେବା କାରଣରୁ ଅସ୍ଥିରତା ମଧ୍ୟରେ ଲୋକେ ସୁନାରେ ନିବେଶ ବଢ଼ାଉଛନ୍ତି। ମୁଦ୍ରାସ୍ଫୀତି ଭୟ ଓ ଫେଡେରାଲ ରିଜର୍ଭ ବ୍ୟାଙ୍କର କମ୍ ସୁଧ ହାର ଯୋଗୁ ସୁନା ନିବେଶର ମାଧ୍ୟମ ପାଲଟିଛି।ଏହା ମଧ୍ୟ ଦର ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ମଧ୍ୟ ସୁନାକୁ ମହଙ୍ଗା କରୁଥିବା ଜଣାପଡ଼ିଛି। ସୁନା ରେଟ ବଢିଲେ ମଧ୍ଯ ଲୋକେ ସୁନା କିଣୁଛନ୍ତି।