୭୫ ହଜାର ଟଙ୍କା ଛୁଇଁଲା ୨୪ କ୍ୟାରେଟ୍ ସୁନାଦର

ନନ୍ଦିଘୋଷ ବ୍ୟୁରୋ: ରକେଟ ବେଗରେ ବଢୁଛି ସୁନା ଦର। ପୁଣି ବଢିଲା ସୁନା । ୨୪ କ୍ୟାରେଟ୍ ସୁନାଦର ୭୫ ହଜାର ଟଙ୍କା ଛୁଇଁଲା । ଆଗକୁ ଆହୁରି ବଢିବ । ପାର କରିବ ୮୦ ହଜାର । ଲଗାତାର ଭାବେ ଦୁଇମାସ ହେଲାଣି ସୁନା ଦର ବଢିଚାଲିଛି । ଆମେରିକାରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖିବାକୁ ଋଣ ଉପରେ ସୁଧ କଟ୍ କରୁଛନ୍ତି ସେଠାକାର ସେଣ୍ଟ୍ରାଲ୍ ବ୍ୟାଙ୍କ । ମୁଦ୍ରାସ୍ଫୀତି ମୁକାବିଲା କରିବାକୁ ଫେଡେରାଲ୍ ରିଜର୍ଭ ବ୍ୟାଙ୍କ ଅନ୍ତରାଷ୍ଟ୍ରୀୟ ବଜାରରୁ ସୁନା କିଣିଚାଲିଛି ।  ଆମେରିକାକୁ ଦେଖି ସୁନା କିଣିଚାଲିଛନ୍ତି ଚୀନ୍ ସେଣ୍ଟାଲ୍ ବ୍ୟାଙ୍କ ଓ ଇଉରୋପିୟାନ୍ ସେଣ୍ଟ୍ରାଲ ବ୍ୟାଙ୍କ । ଏହାସହିତ ଇସ୍ରାଏଲ ଓ ଇରାନ୍କୁ ନେଇ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଯୋଗୁ ସୁନା ବଜାରରେ ତାତି ଲାଗି ରହିଛି । ଖାଲି ସେତିକି ନୁହେଁ, ଡଲାର ତୁଳନାରେ କ୍ରମାଗତ ଭାବେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ମଧ୍ୟ ସୁନା ଦର ବଢୁଛି । ଆଜି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୭ ହଜାର ୨୦୦ ଟଙ୍କା ଥିବାବେଳେ ଆଗକୁ ଏହାର ମୂଲ୍ୟ ୭୦ ହଜାର ଛୁଇଁବା ସମ୍ଭାବନା ରହିଛି । ବିବାହ, ବ୍ରତ ପାଇଁ ସୁନା କିଣାରେ ଲୋକ କିଛିଟା ନିରାଶ ହେଉଛନ୍ତି । ଅନ୍ୟପଟେ ସୁନା ଭଲ ରିଟର୍ଣ୍ଣ ଦେଉଥିବାରୁ କେତେକ ସୁନା କିଣିବାକୁ ଆଗ୍ରହ ଦେଖାଉଛନ୍ତି । ସୁନାକୁ ଦେଖି ରୂପା କିଲୋ ବି ୮୮ ହଜାର ଟଙ୍କାରେ ପହଞ୍ଚିଲାଣି ।