ପୁଣି ମହଙ୍ଗା ହେଲା ସୁନା ; ସୁନା ଦର ୯୫ ହଜାର ଟଙ୍କା ପାର

1 min read

ନନ୍ଦିଘୋଷ ବ୍ୟୁରୋ: ପୁଣି ମହଙ୍ଗା ହେଲା ସୁନା। ୧ ଲକ୍ଷ ଟପିଲା ୧୦ ଗ୍ରାମ ସୁନା ଗହଣା ମୂଲ୍ୟ । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୪୫୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୫ ହଜାର ୪୦୦ ଟଙ୍କା ହୋଇଛି। ଯଦି ଜଣେ ଗ୍ରାହକ ସୁନା ଗହଣା କିଣନ୍ତି, ତେବେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଉପରେ ୩ ପ୍ରତିଶତ ଜିଏସ୍ଟି ଓ ୧୪ ପ୍ରତିଶତ ଗଢ଼ା ମଜୁରୀ ମିଶିବା ପରେ ତାଙ୍କୁ ୧ ଲକ୍ଷ ୨ ହଜାର ୬୮୩ ଟଙ୍କା ଦେବାକୁ ପଡ଼ିବ। ଅବଶ୍ୟ ଗଢ଼ା ମଜୁରୀ ଗହଣା ଦୋକାନୀ ଭିନ୍ନ ଭିନ୍ନ ନେଇଥାନ୍ତି । ସେହିପରି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା କିଣିବାକୁ ଇଚ୍ଛା କଲେ ୩ ପ୍ରତିଶତ ଜିଏସ୍ଟି ମିଶାଇକୁ ଜଣେ ଗ୍ରାହକଙ୍କୁ ୯୮ ହଜାର ୨୬୨ ଟଙ୍କା ଦେବାକୁ ପଡ଼ିବ । ଆସନ୍ତୁ ଜାଣିବା କାହିଁକି ଓ କ’ଣ ପାଇଁ ସୁନା ମୂଲ୍ୟ ପୁଣି ଥରେ ଉପରମୁହାଁ ହୋଇଛି ।

ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କ ମତରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଟାରିଫ ଓ୍ବାର ପ୍ରଭାବରେ ଧରାଶାୟୀ ହେବାରେ ଲାଗିଛି ଇକ୍ୟୁଟି ବଜାର । ଯଦିଓ ଭାରତ ପାଇଁ ୯୦ ଦିନ ପର୍ଯ୍ୟନ୍ତ ଟାରିଫକୁ ରାଷ୍ଟ୍ରପତି ଟ୍ରମ୍ପ କୋହଳ କରିଛନ୍ତି । କିନ୍ତୁ ଅନ୍ତରାଷ୍ଟ୍ରୀୟ ବଜାରରେ ଅସ୍ଥିରତା ଦେଖାଦେଇଛି । ଯେଉଁଥିପାଇଁ ନିବେଶକମାନେ ଅଧିକ ବାସ୍ତବ ସୁନାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି । ଯାହାର ଫଳ ସ୍ବରୂପ ସୁନା ଦର ବଢିଚାଲିଛି । ଏହି ଅସ୍ଥିରତା ଲମ୍ବା ସମୟ ପାଇଁ ଜାରି ରହିବା ଆଶଙ୍କା ପ୍ରକାଶ ପାଉଛି । ସୁନା ଅଧିକ ରିଟର୍ଣ୍ଣ ଦେଉଥିବାରୁ ନିବେଶକ ଏହି ହଳଦିଆ ଧାତବରେ ପୁଞ୍ଜିନିବେଶ ପାଇଁ ନିଜକୁ ସୁରକ୍ଷିତ ମଣୁଛନ୍ତି । ଦୀର୍ଘ ମିଆଦି ସୁତ୍ରରେ ସୁନାରେ ପୁଞ୍ଜି ଲଗାଣ କଲେ ଅଧିକ ଫାଇଦା ମିଳୁଛି ବୋଲି ମତ ରଖିଛନ୍ତି ବ୍ୟବସାୟୀ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ଟାରିଫ ଓ୍ବାର ପ୍ରଭାବରେ ବିଶ୍ବ ବଜାର ଏକପ୍ରକାର ଅନିଶ୍ଚିତତା ଦେଇ ଗତି କରୁଛି । ସବୁ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କ ୨ ଲକ୍ଷ ୧୬ ହଜାର ଟନ୍ ସୁନା କିଣି ମହଜୁଦ ରଖିଛନ୍ତି । ଯାହାକି ସ୍ବାଭାବିକ ପରିମାଣଠାରୁ ୯ ପ୍ରତିଶତ ଅଧିକ । ଯଦି କେନ୍ଦ୍ରୀୟ ବ୍ୟାଙ୍କ ବଜାରରେ ସୁନା ବିକ୍ରି କରନ୍ତେ ତାହେଲେ ସୁନା ଦର ହ୍ରାସ ପାଆନ୍ତା । କିନ୍ତୁ ସେମାନେ ବିକ୍ରି କରୁନାହାନ୍ତି । ଆଗାମୀ ଦିନରେ ଅନ୍ତରାଷ୍ଟ୍ରୀୟ ବଜାରର ମୁଦ୍ରାସ୍ପୀତିକୁ ମୁକାବିଲା କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସୁନା ମହଜୁଦ ରଖୁଛନ୍ତି । ସେପଟେ ଚୀନ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସୁନା କିଣିବା ଅବ୍ୟାହତ ରଖିଛି । ଏହାସହିତ ଆମେରିକା ୩ ମାସ ପାଇଁ ଭାରତୀୟ ଉତ୍ପାଦ ଉପରେ ଟାରିଫକୁ ୨୬ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରିଛି । ଫଳରେ ଶୁକ୍ରବାର ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଦଶମିକ ୬୯ ପ୍ରତିଶତ ବୃଦ୍ଧି ହୋଇ ୮୬ ଟଙ୍କା ୧୪ ପଇସାରେ ପହଞ୍ଚିଛି । ଯେଉଁଥିପାଇଁ ନିବେଶକମାନେ ସୁନାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ଦେଖାଉଛନ୍ତି । ଟ୍ରମ୍ପଙ୍କ ଟାରିଫ ଓ୍ବାର ପ୍ରଭାବ ବଜାରରେ ଅସ୍ଥିରତା ଆଣିଲେ ବି ନିବେଶକ ଦୀର୍ଘ ମିଆଦି ପାଇଁ ସୁନାରେ ପୁଞ୍ଜି ନିବେଶ କରି ଚାଲିଛନ୍ତି । ପ୍ରଭାବରେ ଆଗାମୀ ୨୦୨୭-୨୮ ମସିହା ପର୍ଯ୍ୟନ୍ତ ସୁନା ଦର ଉଚ୍ଚା ରହିବ । ଏଭଳି ସ୍ଥିତି ଲାଗି ରହିଲେ, ଖୁବ ଶୀଘ୍ର ଆସନ୍ତା ଦିନରେ ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ପାର୍ କରିପାରେ ।

ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ଧମକର ପ୍ରଭାବକୁ ସବୁ ରାଷ୍ଟ୍ର ଅନୁଧ୍ୟାନ କରୁଛନ୍ତି । ଗୁରୁବାର ଚୀନ ସାମଗ୍ରୀ ଆମଦାନୀ ଉପରେ ଟ୍ରମ୍ପ ୧୪୫ ପ୍ରତିଶତ ଟାରିଫ ଘୋଷଣା କରିଥିଲେ । ପ୍ରତି ଉତ୍ତରରେ ଚୀନ ମଧ୍ୟ ଆମେରିକାକୁ କଡ଼ା ଜବାବ ଦେଇଛି । ଆମେରିକା ଉତ୍ପାଦର ଆମଦାନୀ ଉପରେ ପାରସ୍ପରିକ ଟାରିଫକୁ ୮୪ ପ୍ରତିଶତରୁ ୧୨୫ ପ୍ରତିଶତକୁ ବୃଦ୍ଧି କରିଛି ଡ୍ରାଗନ । ଏହା ଫଳରେ ଟାରିଫ ସଙ୍କଟ ଆଗକୁ ଆହୁରି ଜଟିଳ ରୂପ ନେବାକୁ ଯାଉଛି ।