ଆଗକୁ ୭୫ ହଜାର ଛୁଇଁବ ସୁନା ଦର, ସପ୍ତାହକ ମଧ୍ୟରେ ବଢ଼ିଲାଣି ୪ ହଜାର

1 min read

ଭୁବନେଶ୍ବର: ହୁ ହୁ ବଢୁ ଚାଲିଛି ସୁନାଦର । ସପ୍ତାହକ ଭିତରେ ବଢ଼ିଲାଣି ୪ ହଜାର ଟଙ୍କା । ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍ ପିଛା ୬୭ ହଜାର ୪୧୪ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍‌ ସୁନାଦର ଅଛି ୬୦ ହଜାର ୭୫୦ । ଆଗକୁ ୭୫ ହଜାର ଛୁଇଁବ ବୋଲି ଆକଳନ କରାଯାଉଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ, ସୁନାରେ ନିବେଶ ଓ ବିଶ୍ବ ବଜାରରେ ଅସ୍ଥିରତା, ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନାଦର ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି ।

ସପ୍ତାହକ ତଳେ ୨୨ କ୍ୟାରେଟ୍ ସୁନା ଦର ଥିଲା ୫୭ ହଜାର ୫୦୦ ଟଙ୍କା । ଆଜି ୬୦ ହଜାର ୭୫୦ । ସେହିପରି ସପ୍ତାହକ ତଳେ ୧୦ ଗ୍ରାମ୍‌ ୨୪ କ୍ୟାରେଟ୍‌ ସୁନା ଥିଲା ୬୨ ହଜାର ୫୦୦ । ଆଜି ବଢ଼ି ହୋଇଛି ୬୭ ହଜାର ୪୧୪ ଟଙ୍କା । ଶୀଘ୍ର ୭୦ ହଜାର ପାର୍ କରିବ ବୋଲି ସୁନା ବ୍ଯବସାୟୀ ଆକଳନ କରିଛନ୍ତି । ବିଶ୍ବ ବଜାରରେ ଅସ୍ଥିରତା ଯୋଗୁଁ ଲୋକେ ଷ୍ଟକ୍‌ ମାର୍କେଟ୍‌ରେ ପୁଞ୍ଜି ନଲଗାଇ ସୁନାରେ ନିବେଶ କରିବାକୁ ଆଗ୍ରହ ଦେଖାଉଛନ୍ତି । ଏହା ସହିତ ଇସ୍ରାଏଲ-ହମାସ୍‌ ଓ ଋଷ-ୟୁକ୍ରେନ୍‌ ଯୁଦ୍ଧ ବିଶ୍ବ ବଜାରରେ ଅସ୍ଥିରତାର କାରଣ ପାଲଟିଛି । ଫଳରେ ବଢ଼ି ଚାଲିଛି ସୁନାଦର । ଆଗକୁ ସୁନାଦର ୭୫ ହଜାର ଛୁଇଁବ ବୋଲି ଆକଳନ କରାଯାଉଛି । ସୁନା ଦର ଦେଖି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଗ୍ରାହକ ତାଜୁବ । ବଢୁଥିବା ଦର ଯୋଗୁଁ ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମ ପାଇଁ ଅଧିକ ସୁନା କିଣିବା ସମ୍ଭବ ହେଉନି ।

ଭାରତରେ ସୁନାଦର ବୃଦ୍ଧିର କାରଣ ରହିଛି । ଭାରତ ବିଦେଶରୁ ସୁନା ଆମଦାନୀ କରିଥାଏ । ଲଗାତାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଘଟୁଥିବାରୁ ସୁନା ଆମଦାନୀ ଉପରେ ବୈଦେଶିକ ମୁଦ୍ରା ବାବଦରେ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଛି । ସୁନାଦର ବୃଦ୍ଧି ଯୋଗୁଁ ଲୋକେ ସୁନାରେ ନିଜର ସଞ୍ଚିତ ଅର୍ଥ ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଚାହିଦା ଅଧିକ ରହୁଥିବାରୁ ଦର ବୃଦ୍ଧି ଘଟାଉଛି । ବିବାହ, ବ୍ରତ, ଯାନିଯାତ ଓ ପର୍ବପର୍ବାଣୀରେ ଉପହାର ଦେବା ପାଇଁ ସୁନାକୁ ଅଧିକ ମହତ୍ତ୍ବ ଦିଆଯାଏ । ଫଳରେ ବଜାରରେ ସୁନାର ଚାହିଦା ମଧ୍ଯ ହୁ ହୁ ହୋଇ ବଢୁଛି । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଯୋଗୁଁ ଲୋକଙ୍କ କ୍ରୟଶକ୍ତି ବଢିଛି । ସୁନାରେ ନିବେଶ କରି ଭଲ ରିଟର୍ଣ୍ଣ ପାଇବା ଆଶାରେ ଲୋକେ ଅଧିକ ସୁନା କିଣୁଛନ୍ତ । ଚାହିଦା ବୃଦ୍ଧି ଯୋଗୁଁ ସୁନାଦର ବଢୁଥିବା ବିଶେଷଜ୍ଞ ମତ ରଖିଛନ୍ତି ।