ସପ୍ତାହକ ଭିତରେ ୨୪ କ୍ୟାରେଟ୍‌ ଓ ୨୨ କ୍ୟାରେଟ୍‌ ସୁନା ଦର ୮ ପ୍ରତିଶତ ବୃଦ୍ଧି

1 min read

ନନ୍ଦିଘୋଷ ବ୍ୟୁରୋ: ବଢ଼ିଲା ସୁନା ଦର । ସପ୍ତାହକ ଭିତରେ ୨୪ କ୍ୟାରେଟ୍‌ ଓ ୨୨ କ୍ୟାରେଟ୍‌ ସୁନା ଦର ୮ ପ୍ରତିଶତ ବୃଦ୍ଧି ପାଇଛି । ଏବେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ୍‌ ପିଛା ୬୧ ହଜାର ଟଙ୍କାରୁ ୬୫ ହଜାର ଟଙ୍କା । ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କାରୁ ୫୮ ହଜାର ଟଙ୍କାରେ ବିକ୍ରି ହେଉଛି । ୨୦୨୪ରେ ସୁନାଦର ୧୦ ଗ୍ରାମ ୭୦ ହଜାର ଟଙ୍କା ଛୁଇଁବ ବୋଲି ପୂର୍ବରୁ ଆକଳନ ହୋଇଥିଲା । ଭାରତ ବିଦେଶରୁ ସୁନା ଆମଦାନୀ କରୁଥିବାରୁ ସୁନା ଦର ଅନ୍ତରାଷ୍ଟ୍ରୀୟ ବଜାର ଉପରେ ନିର୍ଭର କରିଥାଏ । ଋଷ-ୟୁକ୍ରେନ୍‌ ଯୁଦ୍ଧ ଓ ଇସ୍ରାଏଲ-ହମାସ୍‌ ଲଢେଇ ଯୋଗୁ ବିଶ୍ବରେ ଏକ ପ୍ରକାର ମାନ୍ଦାବସ୍ଥା ସୃଷ୍ଟି ହୋଇଛି । ଏହାର ପ୍ରଭାବ ସୁନା କାରବାର ଉପରେ ପଡ଼ିଛି । ଲୋକେ ଏବେ ସୁନାରେ ଇନଭେଷ୍ଟ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଗହଣା ଦୋକାନୀଙ୍କ ମତରେ ସୁନା କିଣିଲେ ବାର୍ଷିକ ୯ ପ୍ରତିଶତ ରିଟର୍ଣ୍ଣ ମିଳୁଛି । ଅନ୍ୟ କୌଣସି ସେଭିଙ୍ଗସ୍‌ ଏତେ ରିଟର୍ଣ୍ଣ ଦେଉନାହିଁ । ଅନ୍ୟପଟେ ବଜାର ବିଶେଷଜ୍ଞଙ୍କ ମତ ଭିନ୍ନ । ବାସ୍ତବ ସୁନାରେ ବିନିଯୋଗ କରିବା ଅପକ୍ଷେ ଯଦି ଲୋକେ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ସୋଭେରିନ୍‌ ଗୋଲ୍ଡ ବଣ୍ଡ୍‌ରେ ବିନିଯୋଗ କରିବେ ତାହେଲେ ଅଧିକ ଲାଭରେ ରହିବେ । ସୁନା ଗ୍ରାମ ପିଛା ବଜାରରେ ଯେତିକି ରହିଛି ସମାନ ଦରରେ ବଣ୍ଡ କିଣି ନିଜର ଅର୍ଥ ଲଗାଇପାରିବେ । ଏଥିରେ ବାର୍ଷିକ ଅଢେଇ ପ୍ରତିଶତ ସୁଧ ମିଳିବା ସହିତ ୮ ବର୍ଷ ପରେ ସୁନା ଦର ଯାହା ଥିବା ସେହି ହିସାବରେ ଟଙ୍କା ପାଇବେ । ଆଉ ଗୋଟିଏ ହେଲା ସେୟାର ବଜାରରେ ମିଳୁଥିବା ଗୋଲ୍ଡ ଇଟିଏଫ୍‌ । ଦୈନିକ ସୁନା ଦର ବଢିବା ଓ କମିବା ସହିତ ଜଣେ ବ୍ୟକ୍ତି ସେୟାର ମାର୍କେଟ୍‌ରୁ ରିଟର୍ଣ୍ଣ ପାଇପାରିବେ ।