ଡେଲ୍ଟା ଛକରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର
ଭୁବନେଶ୍ୱର: ଡେଲଟା ଛକରେ ଥିବା ଏକ ଗହଣା ଦୋକାନରୁ ଲୁଟ । ସଟର ତାଡ଼ି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ମାଲିକ ଅଳଙ୍କାର ଭର୍ତ୍ତି ଦୋକାନକୁ ଶେଷ ସମୟରେ ସଟ୍ଟର ପକାଇ ଘରକୁ ଯାଇଥିଲେ । ଆଉ ଯେତେବେଳେ ଦୋକାନ ପାଖରେ ପରବର୍ତ୍ତୀ ସମୟରେ ପହଁଚନ୍ତି । ମୁଣ୍ଡରେ ହାତ ଦିଅନ୍ତି । ପାଖରେ ତାଲା ପଡ଼ିଛି, ସଟର ଟେକା ହୋଇଛି । ଦୋକାନ ଭିତରେ କେବଳ ଖଣ୍ଡ ଖଣ୍ଡ କାଚ ପଡ଼ିଛି । ଏଭଳି ଏକ ଘଟଣା ଘଟିଛି ରାଜଧାନୀରେ । କମିଶନରେଟ ପୋଲିସର କଡ଼ା ବଳୟ ଭିତରେ ଥିବା ଭୁବନେଶ୍ୱରରୁ ହୋଇଛି ଲୁଟ ।
ଶନିବାର ରାତିରେ ଦୋକାନରୁ ଲୁଟ ହୋଇଥିବା ନେଇ ଦୋକାନର ମାଲିକ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଲୁଟ ହୋଇଥିବା ଦୋକାନକୁ ଦେଖିଲେ ଏହା ସ୍ପଷ୍ଟ ଅନୁମାନ ଯେ, ଏହି ଲୁଟରେ ଏକାଧିକ ବ୍ୟକ୍ତିଙ୍କ ଭୂମିକା ରହିଛି । କାରଣ ପ୍ରଥମେ ଦୋକାନରେ ଲୁହା ସଟର ପଡ଼ିଥିବା ବେଳେ ତାହାକୁ ମେସିନ ସାହାଯ୍ୟରେ କଟା ଯାଇଥିବା ସ୍ପଷ୍ଟ ଅନୁମେୟ ।
ସେପଟେ ସଟର ଭାଙ୍ଗିଲା ପରେ କାଚର କବାଟକୁ ମଧ୍ୟ ରଡ଼ ସାହାଯ୍ୟରେ ଭଙ୍ଗା ଯାଇଥିବା ଅନୁମାନ କରାଯାଇଛି । ଦୋକାନରେ ଅଳଙ୍କାର ଗୁଡ଼ିକ ଡ୍ର ଭିତରେ ରହିଥିଲା । ‘ଡ୍ର’ କୁ ତଡ଼ାଯାଇଥିବାବେଳେ ଲକରରେ ଥିବା ସମସ୍ତ ଅଳଙ୍କାରକୁ ନେଇଯାଇଛନ୍ତି ଦୁର୍ବୃତ୍ତ । ଅନ୍ୟପଟେ ଚତୁର ଲୁଟେରା ସିସି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ଦୋକାନରେ ସିସିଟିଭିର ହାର୍ଡ ଡିସ୍କ ରହିଛି କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ । ତେବେ ଏହି ଲୁଟ ଘଟଣାରେ କେଉଁ ମାନେ ସଂଶ୍ଲିଷ୍ଟ ଏବଂ କେବେ ପୋଲିସ ଗିରଫ କରୁଛି ତାହା ହିଁ କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।